Odiapua.com

ବାଂଲାଦେଶ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅଗ୍ନିକାଣ୍ଡ – ହଜାର ହଜାର ଲୋକ ବେଘର

ନୂଆ ଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ସୋମବାର ଦିନ ଦକ୍ଷିଣ ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ପ୍ରବଳ ଅଗ୍ନିକାଣ୍ଡ ଘଟି ହଜାର ହଜାର ଆଶ୍ରୟସ୍ଥଳର କ୍ଷତି ଘଟିଛି ଏବଂ ହଜାର ହଜାର ଶରଣାର୍ଥୀ ଗୃହହୀନ ହୋଇଛନ୍ତି। ଅଧିକାରୀ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ଶରଣାର୍ଥୀ, ରିଲିଫ ଏବଂ ପ୍ରତ୍ତ୍ୟର୍ପଣ ଆୟୋଗର ଅତିରିକ୍ତ କମିଶନର ମହମ୍ମଦ ଶାମସୁଦ ଦୌଜା କହିଛନ୍ତି ଯେ ଅପରାହ୍ନରେ କାକ୍ସ ବଜାର ଜିଲ୍ଲାର ବାଲୁଖାଲି କ୍ୟାମ୍ପରେ ନିଆଁ ଲାଗିଯାଇ ଅତି କମରେ ଚାରିଟି ବ୍ଲକରେ ବ୍ୟାପି ଯାଇଥିଲା।

ସେ କହିଛନ୍ତି ଯେ ନିଆଁ ଦ୍ରୁତ ଗତିରେ ବ୍ୟାପିବା କାରଣରୁ ଅତି କମରେ ଚାରି ୟୁନିଟ୍ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସିର ମୁଖପାତ୍ର ଲୁଇସ୍ ଡୋନୋଭାନ୍ ଏକ ଇମେଲରେ କହିଛନ୍ତି ଯେ ଘଟଣାସ୍ଥଳରେ ଅଗ୍ନିଶମ ସେବା, ଉଦ୍ଧାର ଏବଂ ପ୍ରତିକ୍ରିୟା ଦଳ ଏବଂ ସ୍ୱେଚ୍ଛାସେବୀ ଉପସ୍ଥିତ ଅଛନ୍ତି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ ଆଶ୍ରୟସ୍ଥଳ, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟାନ୍ୟ ସେବା ସ୍ଥାନ ଉପରେ ପ୍ରଭାବ ପକାଇଛି। ସ୍ୱେଚ୍ଛାସେବୀମାନେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ଏହି ଘଟଣାରେ କୌଣସି ଲୋକର ମୃତ୍ୟୁ ହୋଇଥିବା ଖବର ନାହିଁ ଭୟ ରହିଛି। ଲୋକଙ୍କ ନିଖୋଜ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଖବର ନିଶ୍ଚିତ ହୋଇନାହିଁ। ଦୁଇ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ଘଟଣାସ୍ଥଳରେ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା ଏବଂ ସୋମବାର ରାତିରେ ମଧ୍ୟ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ନଥିଲା।