Odiapua.com

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପିର ୫ ଜଣିଆ ପ୍ରତିନିଧି ଦଳର ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ଗସ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ପ୍ରଥମେ ନିଖୋଜ ହେବା ଏବଂ ଦୀର୍ଘ ୧୧ ଦିନ ପରେ ମାଟି ତଳୁ ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଆଚମ୍ବିତ କରିବା ସହ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପଦାରେ ପକାଇଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ହାଜତରେ ଥିଲା ବେଳେ ସେଠାରୁ ଖସିଯିବା ଘଟଣା ବହୁତ ସନ୍ଦେହ ସୃଷ୍ଟି କରିଛି। ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୋବିନ୍ଦ ସାହୁଙ୍କ ସହିତ ଉତ୍ତମ ସମ୍ପର୍କ ଏବଂ ଏହି ଘଟଣା ପଛରେ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଛି। ଏ ସମସ୍ତ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ କସ୍ତୁରୀ ମିଶ୍ର, ନିରୋଜ୍ ନଳିନୀ ମାହଲିକ, ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା, ମିଡିଆ ସେଲ୍ ପ୍ରମୂଖ ସୁଚରିତା ଜେନାମଣି ପ୍ରମୁଖ ସାମିଲ ଅଛନ୍ତି। ଏହି ପ୍ରତିନିଧି ଦଳ ମମିତାଙ୍କ ପରିବାରଙ୍କୁ ଭେଟି ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ତଦନ୍ତ ପ୍ରସଙ୍ଗରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
-@Dr