ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସିନା ରାଜ୍ୟ ବିଜେପି ଟିମ୍ ଘୋଷଣା କରିଦେଇଛନ୍ତି, କିନ୍ତୁ ଆଉ କିଛି ଘୋଷଣା ବାକି ରହିଯାଇଛି। ସେଥିରେ ରାଜ୍ୟ ପ୍ରବକ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା ଏବଂ ବିଭିନ୍ନ ମୋର୍ଚ୍ଚା କମିଟି ଘୋଷଣା ବାକି ରହିଛି। ଏ’ ଭିତରେ କିଏ କେମିତି ଗୋଟେ ପଦବୀ ପାଇଯିବା ନେଇ ଯିଏ ଯାହା ବାଟରେ ଲବୀ ଆରମ୍ଭ କରିଦେଇଛନ୍ତି। ତେବେ ଏ ଭିତରେ ପାର୍ଟି ପ୍ରବକ୍ତା, ଏବଂ ଦଳର ଦୁଇ ପ୍ରମୂଖ ବିଭାଗ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ଟିମ୍ ବଡ଼ ଗୁରୁତ୍ୱ ବହନ କରୁଛି। ଦଳର ପ୍ରବକ୍ତା ଯିଏ ସବୁ ହେବେ ମିଡିଆରେ ସେମାନେ ପାର୍ଟିର ଏକ ଚେହେରା ହୋଇ ରହିବେ। ସେମାନଙ୍କ ଉପସ୍ଥାପନ, ବ୍ୟବହାର, ଆଚରଣ ଆଦି ଦଳ ଉପରେ ଅନେକ ପ୍ରଭାବ ପକାଇବ। ଦଳର ମୂଳ ବିଚାରଧାରା ସହିତ ଜଡ଼ିତ ନଥିବା ବ୍ୟକ୍ତିଙ୍କୁ ଦଳର ପ୍ରବକ୍ତା କରାଯିବା ଆଦୌ ଉଚିତ୍ ନୁହେଁ। ସେହିପରି ଯୁବମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ଦଳର ଦୁଇ ବାହୁ ପରି। ଏହି ଦୁଇ ମୋର୍ଚ୍ଚା ଯେତେ ଶକ୍ତିଶାଳୀ ହେବ ଦଳ ସେତିକି ଶକ୍ତିଶାଳୀ ହେବ। ନବ ନିଯୁକ୍ତ ଯୁବ ମୋର୍ଚ୍ଚା ସଭାପତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ଆସିଛନ୍ତି। ଏହା ପୂର୍ବରୁ ଅଭିଳାଷ ଏବିଭିପି ରାଷ୍ଟ୍ରୀୟ ସଚିବ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେ ଆଗକୁ ତାଙ୍କ ଟିମ୍ ଘୋଷଣା କରିବେ। ସ୍ୱାଭାବିକ ଭାବରେ ଦୀର୍ଘ ଦିନ ହେଲା ତାଙ୍କ ସହିତ ସମ୍ପର୍କରେ ରହି ଆସିଥିବା ଏବଂ ବିଜେପିରେ ରାଜନୀତି କରିବାକୁ ଆଶା ରଖିଥିବା ରାଜ୍ୟର ବିଭିନ୍ନ ସ୍ଥାନର ଏବିଭିପି କାର୍ଯ୍ୟକର୍ତ୍ତା ଅଭିଳାଷଙ୍କ ଟିମରେ ସ୍ଥାନ ପାଇବାକୁ ନିଜ ନିଜ ବାଟରେ ଲବି (ପ୍ରୟାସ) ଆରମ୍ଭ କରି ଦେଇଥିବେ। କିନ୍ତୁ, ଅଭିଳାଷଙ୍କୁ ଏକ ସଫଳ ଯୁବ ମୋର୍ଚ୍ଚା ସଭାପତି ଏବଂ ଶକ୍ତିଶାଳୀ ଯୁବମୋର୍ଚ୍ଚା ଟିମ୍ ବନାଇବାକୁ ହେଲେ ଯୁବ ମୋର୍ଚ୍ଚାର କେବଳ ଏବିଭିପି କରଣ ନକରି ବ୍ୟାପକତାର ସହ ଚିନ୍ତା କରିବାର ଅଛି। ଅବଶ୍ୟ ଏସବୁ ବାବଦରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ବଡ଼ ଭୂମିକା ରହିବ। ମହିଳା ମୋର୍ଚ୍ଚା କ୍ଷେତ୍ରରେ ମଧ୍ୟ ସମାନ କଥା।
-/DevD®ath