Odiapua.com

ଆଜି ୭୦୦ ବାହାନ ପଞ୍ଜାବରୁ ଟିକ୍ରି ବ୍ରଡ଼ ଅଭିମୁଖେ ଯାତ୍ରା କରିବ, ସିଙ୍ଘୁ ବର୍ଡ଼ର ଏବେ ଦୁର୍ଗରେ ପରିଣତ

ନୂଆଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) : ୨୬ ଜାନୁଆରୀରେ ଦିଲ୍ଲୀରେ ହୋଇଥିବା ହିଂସା ପରେ କୃଷକ ଆନ୍ଦୋଳନ ପୁଣି ତେଜିବାରେ ଦେଖାଯାଉଛି ଏବଂ ପଞ୍ଜାବର ଅନେକ କୃଷକ ସଂଗଠନ ଜାତୀୟ ରାଜଧାନୀ ଆଡକୁ ଅଗ୍ରସର ହେଉଛନ୍ତି। ଟ୍ରାକ୍ଟର-ଟ୍ରଲି, କାର, ବସ୍ ଏବଂ ଅନ୍ୟାନ୍ୟ ବାହନରେ ଦିଲ୍ଲୀ ସୀମା ଅଭିମୁଖେ ବାହାରିଲେଣି। ଅତି କମରେ ୭୦୦ ଗାଡି ଏକତ୍ରିତ ହୋଇ ତିନୋଟି କୃଷି ନିୟମ ବିରୁଦ୍ଧରେ ରବିବାର ଦିନ ଦିଲ୍ଲୀର ଟିକ୍ରି ସୀମା ଅଭିମୁଖେ ଯାତ୍ରା କରି ଏହି ଆନ୍ଦୋଳନକୁ ତୀବ୍ର କରିବାପାଇଁ ଯୋଜନା କରିଥିବା ଖବରରୁ ଜଣାପଡ଼ିଛି।

ସିଙ୍ଗୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି
ଶୁକ୍ରବାର ଦିନ ସଂଘର୍ଷର ଗୋଟିଏ ଦିନ ପରେ ସିଙ୍ଗୁ ସୀମାରେ ସୁରକ୍ଷା ବ୍ବସ୍ଥାକୁ କଡ଼କଡ଼ି କରାଯାଇଛି। ଶନିବାର ଦିନ ଆନ୍ଦୋଳନକାରୀ ଚାଷୀଙ୍କ ସର୍ବବୃହତ ବିରୋଧ ସ୍ଥାନ ଏକ ଦୁର୍ଗରେ ପରିଣତ ହୋଇଛି। ସେଠାରେ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣତନ୍ତ୍ର ଦିବସ ପରଠାରୁ ଭିଡ଼ ଯଥେଷ୍ଟ ବୃଦ୍ଧି ପାଇଛି। ବିକ୍ଷୋଭକାରୀମାନେ ଦାବି କରି କହିଛନ୍ତି ଯେ ଖୁବ ଶୀଘ୍ର ପଞ୍ଜାବ ଏବଂ ହରିୟାଣାର ଅଧିକରୁ ଅଧିକ କୃଷକ ଏହି ବିକ୍ଷୋଭରେ ଯୋଗଦେବେ।

ଖାପ ପଞ୍ଚାୟତଗୁଡିକର ସମର୍ଥନ
ଭାରତୀୟ କୃଷକ ସଙ୍ଗଠନର ଜଣେ ନେତା କହିଛନ୍ତି ଯେ ହରିୟାଣାର ଅନେକ ଖାପ ପଞ୍ଚାୟତ ସଭା କରି କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ଯେ, ଆନ୍ଦୋଳନ ପାଇଁ ଅନେକ ଗାଁ ସେମାନଙ୍କ ଟ୍ରାକ୍ଟର ଟ୍ରଲି ପଠାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଶିରୋମଣୀ ଅକାଳୀ ଦଳ, ଦିଲ୍ଲୀ ସୀମାରେ ଥିବା ତିନୋଟି ବିଦ୍ରୋହ ସ୍ଥଳରେ ଆନ୍ଦୋଳନକୁ ଦୃଢ଼ କରିବା ପାଇଁ ଏହାର କ୍ୟାଡରମାନଙ୍କୁ ବହୁ ସଂଖ୍ୟାରେ ପହଞ୍ଚିବାକୁ କହିଛି।

ନରେଶ ଟିକାୟତଙ୍କ ଦାବି
ଭାରତୀୟ କୃଷକ ସଙ୍ଗଠନ (ବି.କେ.ୟୁ) ମୁଖ୍ୟ ନରେଶ ଟିକାୟତ, କୃଷକଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନକରି ଯାତ୍ରା ଘୋଷଣା କରିବାର ଗୋଟିଏ ଦିନ ପରେ ଅର୍ଥାତ ଶନିବାର ଦିନ ପ୍ରସ୍ତାବ ଦେଇଛନ୍ତି ଯେ ସରକାର ନିଜ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖନ୍ତୁ ଏବଂ ବିରୋଧକାରୀଙ୍କ ବିରୋଧରେ ପଂଜୀକୃତ ହୋଇଥିବା ଏଫଆଇଆରକୁ ଫେରେଇ ନିଅନ୍ତୁ। ନୂତନ କୃଷି ନିୟମକୁ ରଦ୍ଦ ନକରି ସରକାର ଚାଷୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

– ମନୋସ୍ୱିନୀ ପ୍ରହରାଜ