Odiapua.com

ସୁରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ଆସୁଥିବା ବସ୍‌ ଦୁର୍ଘଟଣା – ଜଣେ ମୃତ, ଜଣେ ଗୁରୁତର

ଫୁଲବାଣୀ ୨-୫ (ଓଡ଼ିଆ ପୁଅ) ଗୁଜରାଟର ସୁରାଟରୁ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ୭ଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରିଛି। କନ୍ଧମାଳ ରାସ୍ତା ଦେଇ ଆସୁଥିଲେ ଏହି ବସ୍‌ ଗୁଡ଼ିକ। କିନ୍ତୁ କଳିଙ୍ଗା ଘାଟୀରେ ବସଟି ଦୁର୍ଘଟଣାଗସ୍ତ ହୋଇଛି। ଘାଟୀ ଅଞ୍ଚଳରେ ବସ୍‌ ର ଡ୍ରାଇଭର ଏକ ମୋଡ଼ରେ ଗାଡ଼ିଟିକୁ ନିୟନ୍ତ୍ରଣ କରି ନପାରିବାରୁ ବସ୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଜଣେ ପ୍ରବାସୀ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଏହି ବସ୍‌ରେ ଭଞ୍ଜନଗର, ଆସ୍କା ଓ ବୁଗୁଡ଼ା ଅଞ୍ଚଳର ଲୋକମାନେ ଥିଲେ। ଆଜି ସନ୍ଧ୍ୟା ପ୍ରାୟ ସାଢେ ୮ଟା ସମୟରେ ଘାଟିରେ ବସ୍‌ଟି ଏକ ପିଲର ସହ ପିଟି ହୋଇ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି। ଏଥିରେ ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ସୁରତ ଜିଲ୍ଲାର ଡାଇମଣ୍ଡ ନଗରରୁ ଏପ୍ରିଲ ୩୦ ତାରିଖ ରାତି ପ୍ରାୟ ୧୧ଟାରେ ପ୍ରାୟ ୬୫ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବସ ବାହାରି ଥିଲା। ଗୁରୁତରଙ୍କୁ ଭଞ୍ଜନଗର ଓ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଚାଳକ ଘାଟି ସଂପର୍କରେ ଅବଗତ ନଥିବାରୁ ଭାରସାମ୍ୟ ହରାଇଥିବା କୁହାଯାଉଛି।