ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ବୁଧବାର ରାତିରେ ମଧ୍ୟପ୍ରଦେଶର ଗୁନାରେ ଏକ ବସ୍ ସହ ଟ୍ରକ ଧକ୍କା ଦେବା ଫଳରେ ଆଠ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ୫୦ ଜଣ ଆହତ ହୋଇଛନ୍ତି। ଆହତ ଶ୍ରମିକମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଶ୍ରମିକମାନେ ମହାରାଷ୍ଟ୍ରରୁ ନିଜଘର ଉତ୍ତରପ୍ରଦେଶକୁ ଫେରୁଥିଲେ। ୟୁପି ରୋଡୱେର ବସ୍ ରେ ସେମାନେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ୮ ପ୍ରବାସୀ ଶ୍ରମିକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୁନା ବାଇପାସ୍ ଉପରେ ୟୁପି ଡ଼ାବା ନିକଟରେ ମଧ୍ୟପ୍ରଦେଶର ଗୁନାରେ ଏହି ଦୁର୍ଘଟଣା ଘଟିଛି।
ଅପରପକ୍ଷରେ ଅନ୍ୟ ଏକ ଦୁର୍ଘଟଣାରେ ୮ ପ୍ରବାସୀ ଶ୍ରମିକଙ୍କ ଆଜି ଉପରେ ବସ୍ ଚଢ଼ାଇ ଦେଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ମୁଜାଫରନଗର-ସାହାରନପୁର ରାଜ୍ୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଏହି ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ଗୋଟାଏ ସମୟରେ ୮ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ରୋଡୱେ ବସ୍ ଚଢ଼ିଯାଇଥିଲା। ଏହି ସମସ୍ତ ଶ୍ରମିକ ପଞ୍ଜାବରୁ ପାଦରେ ଚାଲିଚାଲି ବିହାର ଫେରୁଥିଲେ। ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ବାକି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମିରଟ ମେଡିକାଲରେ ଭର୍ତ୍ତି କରାଯାଇଛି।