Odiapua.com

୫୦ କେଜି ଚାଉଳ ପ୍ୟାକେଟ ଓଜନ କଲେ ୪୦

ନୟାଗଡ଼, ୩୦ା୪:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କୋମଳମତି ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟକୁ ବି ଠକିବାରେ ଅବହେଳା କରୁନି ସଂସ୍ଥା। ଶିଶୁଙ୍କୁ ପ୍ରାରମ୍ଭିକ ଶିକ୍ଷାଦାନ, ଟୀକାକରଣ, ଶାରିରୀକ ଓ ବୌଦ୍ଧିକ ବିକାଶ, ପୃଷ୍ଟିକର ଖାଦ୍ୟ ଯୋଗାଣ ସହ ଗର୍ଭବତୀ ମହିଳାଙ୍କ ବିକାଶ ନିମନ୍ତେ ମମତା ଯୋଜନାର ସଫଳ ରୂପାୟନ ପାଇଁ ସରକାର ଗଠନ କରିଛନ୍ତି ଅଙ୍ଗନବାଡ଼ି କେନ୍ଦ୍ର। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ କ୍ରମବିକାଶର ମୂଳଦୁଆ ପଡ଼ିଥାଏ। ହେଲେ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ନାଁରେ ବିଭିନ୍ନ ସଂସ୍ଥା ଅଙ୍ଗନବାଡ଼ି କେନ୍ଦ୍ରକୁ ନିମ୍ନମାନର ଖାଦ୍ୟ ଯୋଗାଇ ଆସୁଥିଲାବେଳେ ଅଭିଭାବକ ମହଲରୁ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ପ୍ରତିକାର ନହେବା ନେଇ ଅସନ୍ତୋଷ ଉଠିଛି। ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳ ପ୍ୟାକେଟ ୫୦ କେଜିଆ ହୋଇଥିଲାବେଳେ ତାହାକୁ ଓଜନ କଲେ ୪୦ରୁ ୪୨ କେଜି ହେଉଛି। ଚାଉଳ ପ୍ୟାକେଟ କଲାବେଳେ ଚାଉଳ ଯୋଗାଉ ଥିବା ସଂସ୍ଥାର ନିେର୍ଦ୍ଦେଶରେ ଜାଣିଶୁଣି ଏପରି କମା ଯାଉଥିବା ଅଭିଯୋଗ ହେଉଛି। ସେହିପରି ଛତୁଆ ଯୋଗାଣ କରୁଥିବା ସଂସ୍ଥା ନିମ୍ନମାନର ଛତୁଆ ଯୋଗାଉଥିବା ଅଭିଯୋଗ ହେଉଛି। ଛତୁଆରେ ଯେଉଁ ସବୁ ଜିନିଷ ମିଶ୍ରିତ ହୋଇ ପ୍ୟାକେଟ ପ୍ରସ୍ତୁତ ହେବା କଥା କେବଳ ପ୍ୟାକେଟରେ ସୂଚିତ ହୋଇଛି ସିନା ପ୍ରକୃତରେ ସେଥିରେ ତାହା ମିଶ୍ରିତ ନହୋଇ କେବେଳ ଗହମ, ଚିନି, ଚାଉଳ ଗୁଣ୍ଡରେ ପ୍ରସ୍ତୁତ ହେଉଥିବା ଗୁରୁତର ଅଭିଯୋଗ ହେଉଛି। ଏପରି ନିମ୍ନମାନର ଛତୁଆକୁ ଶିଶୁମାନେ ଖାଇବାତ ଦୂରର କଥା ବୟସ୍କ ଲୋକେ ମଧ୍ୟ ଖାଇବାକୁ ନାପସନ୍ଦ କରୁଥିବା ଏବଂ କେତେକ ଦୋକାନରେ ବିକ୍ରି କରୁଥିବାବେଳେ ଆଉ କେତେକ ଗୋରୁହାଣ୍ଡିରେ ପକାଉଥିବା କେତେକ ଅଭିଭାବକ ଅଭିଯୋଗ କରୁଛନ୍ତି। ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଣରେ ଏପରକି ଅପମିଶ୍ରଣ କରୁଥିବା ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହେଉଛି।