Odiapua.com

କଳିଙ୍ଗା ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣା – ଏବେ ଏହି ବାଟ ଦେଇ ଆସିବନି ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍

ଫୁଲବାଣୀ ୩-୫ (ଓଡ଼ିଆ ପୁଅ) : କଳିଙ୍ଗା ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ କଳିଙ୍ଗା ଘାଟିରେ ଏହି ଦୁର୍ଘଟଣା ଘଟିଛି। ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ବସ୍ ଗଞ୍ଜାମ ଫେରୁଥିଲା। ଏହି ବସରେ ୩ ମହିଳାଙ୍କ ସମେତ ମୋଟ୍ ୫୭ଜଣ ଯାତ୍ରୀ ଥିଲେ। ସକାଳ ପ୍ରାୟ ସାଢ଼େଆଠଟା ସମୟରେ ସୁରାତ ଫେରନ୍ତା ଏହି ବସ୍‌ଟି ଟ୍ରକ୍ ପଛରେ ପିଟିହୋଇଯାଇଥିଲା। ଏହି ଦୁର୍ଘଟଣାରେ ୫ ଯାତ୍ରୀ ଆହତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଖବର ପାଇ ଜି.ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବନ୍ଦୋବସ୍ତ କରିଥିବା ସୂଚନାମିଳିଛି। ତେବେ ଏହା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତିଯେ, ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସମସ୍ତ ବସ ଏଣିକି ଘାଟି ବାଟ ଦେଇ ଆସିବ ନାହିଁ। ବସଗୁଡିକ ବୌଦ୍ଧ ମାଧପୁର ଦେଇ ନୟାଗଡ, ଓଡ଼ଗାଁ ଓ ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମରେ ପହଞ୍ଚିବ। ସୂଚନାଯୋଗ୍ୟ, ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଅନ୍ୟ ଏକ ବସ୍ ଗତକାଲି ରାତିରେ ଦୁର୍ଘଟଣା ଗସ୍ତ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣେ ଗୁରୁତର ଆହତ ହୋଇଥିଲେ।