Odiapua.com

5-ଟି ଓ ଅସୁସ୍ଥ ରାଜନୀତି

ଭୁବନେଶ୍ୱର ୩୦-୮ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) 5-ଟି ତଥା ପଞ୍ଚସୂତ୍ରୀ ସ୍ୱଚ୍ଛତାକୁ ନେଇ ଏବେ ବିଭିନ୍ନ ଗଣ ମାଧ୍ୟମରେ ଏ ବାବଦରେ ଚର୍ଚ୍ଚା ଚାଲିଛି। ପଞ୍ଚମଥର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ନବୀନ ପଟ୍ଟନାୟକ ଏହି 5-ଟିର କାର୍ଯ୍ୟକାରୀତା ଉପରେ ଗୁରୁତ୍ତ୍ୱ ଦେବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦେଇଥିଲେ। ଏହି 5-ଟି ର ସଫଳ ରୂପାୟନ ପାଇଁ ସରକାରୀ ଓ ରାଜନୈତିକ ସ୍ତରରେ ଜଡ଼ିତ ପଦାଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହାର କାର୍ଯ୍ୟକାରୀତା ଉପରେ ଏବେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ମୁଖ୍ୟମନ୍ତ୍ରୀଙ୍କର ଏହି ପଞ୍ଚସୂତ୍ରୀ ସ୍ୱଚ୍ଛତାକୁ ନେଇ ଏବେ ଏକ ପ୍ରକାର ରାଜନୈତିକ ଖେଳ ଆରମ୍ଭ ହୋଇଛି ବୋଲି ସର୍ବସାଧାରଣ ଅନୁଭବ କଲେଣି। ସାଧାରଣ ଲୋକଙ୍କ ପାଖରେ ପ୍ରଶାସନିକ ସ୍ୱଚ୍ଛତା ପହଁଚେଇବାର ମୂଳ ଲକ୍ଷ ହେଉଚି 5-ଟି। ମାତ୍ର ଏହା ଏବେ ବାଟବଣା ହେବାକୁ ଲାଗିଛି।

ପଞ୍ଚମଥର ସରକାର କ୍ଷମତାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ପ୍ରଥମେ ଘୋଷଣା କରିଥିଲେ ରାଜ୍ୟ ସଚିବାଳୟର ପ୍ରତିଟି କର୍ମଚାରୀଙ୍କର ଦୈନନ୍ଦିନ କାର୍ଯ୍ୟସାରଣୀ ହେଉଛି ସକାଳ ୧୦ ରୁ ସଂଧ୍ୟା ୫.୩୦। ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସଚିବାଳୟ ଏବଂ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କର କାର୍ଯ୍ୟସାରଣୀ ସକାଳ ୧୦ ରୁ ସଂଧ୍ୟା ୫.୩୦ ମଧ୍ୟରେ ବାଧ୍ୟତା ମୂଳକ। ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ନିର୍ଦ୍ଦେଶନାମା ପ୍ରକାଶିତ ହୋଇଥିଲା। ମାତ୍ର ଏହାର କାର୍ଯ୍ୟକାରୀତାର ପ୍ରତିଶତ କେତେ ତାହା ଏକ ବିରାଟ ପ୍ରଶ୍ନବାଚୀ। ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣାନାମାର ସଫଳତାର ହାର ତିରିଶ ପ୍ରତିଶତରୁ ମଧ୍ୟ ଅଧିକ ନୁହେଁ। ଏହାପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ 5-ଟି ତଥା ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ।

ରାଜ୍ୟ ସରକାରଙ୍କର ମନ୍ତ୍ରୀ ଏବଂ ଅଧିକାଂଶ ସଚିବମାନେ ଏବେ ଏକାଧିକ ବିଭାଗର ଦାୟୀତ୍ତ୍ୱରେ ଅଛନ୍ତି। ଏକାଧିକ ବିଭାଗର ଦାୟୀତ୍ତ୍ୱରେ ଥିବା ଏହି ମନ୍ତ୍ରୀ ଏବଂ ସଚିବମାନେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପଞ୍ଚସୂତ୍ରୀ ସ୍ୱଚ୍ଛତାକୁ ଅବଲମ୍ବନ କରୁଛନ୍ତି କି? ଏଠାରେ ଆମେ କିଛି ଉଦାହରଣକୁ ଉପସ୍ଥାପନା କରୁଛୁ। ବିଭିନ୍ନ ବିଭାଗର ସରକାରୀ ଗାଡ଼ି ସମ୍ପୃକ୍ତ ମନ୍ତ୍ରୀ ଏବଂ ସଚିବ ମାନଙ୍କ ପାଇଁ ଉପଲବ୍ଧ ହୋଇଥାଏ। ସେହି ଅନୁପାତରେ ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନେ ଏକାଧିକ ବିଭାଗର ଦାୟୀତ୍ତ୍ୱରେ ଅଛନ୍ତି। ତାଙ୍କୁ ଏକାଧିକ ବିଭାଗରୁ ଗାଡ଼ି ମିଳୁଛି। ସବୁ ବିଭାଗର ଗାଡ଼ି ଆସି ମନ୍ତ୍ରୀ ଏବଂ ସଚିବଙ୍କ ଦ୍ୱାର ଆଗରେ ଛିଡ଼ାହେଉଛି। ଏହି କ୍ଷେତ୍ରରେ ମନ୍ତ୍ରୀ ଏବଂ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କ 5-ଟି ତଥା ପଞ୍ଚସୂତ୍ରୀ ସ୍ୱଚ୍ଛତାକୁ ଅବଲମ୍ବନ କରୁଛନ୍ତି କି ନାହିଁ। ଦରକାର ଗୋଟିଏ ସରକାରୀ ଗାଡ଼ି ମାତ୍ର ପ୍ରତି ବିଭାଗର ସରକାରୀ ଗାଡ଼ିକୁ ବ୍ୟବହାର କରିବାର ଆବଶ୍ୟକତା କ’ଣ ସେହି ଅନୁପାତରେ ପ୍ରତି ବିଭାଗରୁ ତଳିଆ କର୍ମଚାରୀ ମନ୍ତ୍ରୀ ଓ ସଚିବଙ୍କ ଆବାସିକ ସରକାରୀ କାର୍ଯ୍ୟାଳୟରେ ନିୟୋଜିତ ହେବା କଥା। ମାତ୍ର ଏହାକୁ ଅଣ ଦେଖା କରି ବିଭିନ୍ନ ବିଭାଗର ତଳିଆ କର୍ମଚାରୀମାନେ ମନ୍ତ୍ରୀ ଏବଂ ସଚିବଙ୍କ ଆବାସିକ ସରକାରୀ କାର୍ଯ୍ୟାଳୟରେ ଆବଶ୍ୟକ କାର୍ଯ୍ୟନଥାଇ ମଧ୍ୟ ଟହଲ ମାରୁଛନ୍ତି। ଓଡ଼ିଶା ଏକ ଶାନ୍ତ ସରଳ ରାଜ୍ୟ। ରାଜନୈତିକ ପଦାଧିକାରୀଙ୍କୁ ଜଣେ ସୁରକ୍ଷା କର୍ମୀ ଯୋଗାଇଲେ ଏହା ଯଥେଷ୍ଟ। ମାତ୍ର ରାଜ୍ୟ ସରକାରଙ୍କର ଅନେକ ମନ୍ତ୍ରୀ ଅଛନ୍ତି ଯିଏ କି ଏକାଧିକ ସୁରକ୍ଷା କର୍ମୀଙ୍କୁ ନିଜ ସୁରକ୍ଷାରେ ନିୟୋଜିତ କରିଛନ୍ତି। ଏହା କେଉଁ ପ୍ରକାର ପଞ୍ଚସୂତ୍ରୀ ସ୍ୱଚ୍ଛତାର ପରିପନ୍ଥୀ। ଏବେ ବିଭିନ୍ନ ଗୋଟିଏ ଖବର ବିଭିନ୍ନ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି। ତାହା ହେଉଛି ବିଭାଗୀୟ ମନ୍ତ୍ରୀଙ୍କର ଅଚାନକ ବିଭାଗ ପରିଦର୍ଶନ। ଗଣ ଶିକ୍ଷା ମନ୍ତ୍ରୀଙ୍କର ଅଚାନକ ସ୍କୁଲ ପରିଦର୍ଶନ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଅଚାନକ ଡାକ୍ତରଖାନା ପରିଦର୍ଶନ, କୃଷି ମନ୍ତ୍ରୀଙ୍କର ଅଚାନକ ବିଭିନ୍ନ ବିଭାଗର ପରିଦର୍ଶନ ପରିବହନ ମନ୍ତ୍ରୀଙ୍କର ରାସ୍ତା ମଝିରେ ସରକାରୀ ଗାଡ଼ିକୁ ଅଟକାଇ ତନାଘନା କରିବା ଆଦି ଖବର ଗଣ ମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି। ଏ ଯାହା ସବୁ ଘଟୁଛି ତାହା କେବଳ ରାଜ୍ୟ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ସୀମିତ। ଗୋଟିଏ ରାଜ୍ୟ କେବଳ ତା’ ରାଜଧାନୀ ମଧ୍ୟରେ ସୀମିତ ନୁହେଁ। ମନ୍ତ୍ରୀ ମାନଙ୍କର ଏହି କାର୍ଯ୍ୟପନ୍ଥା ଯଦି ରାଜଧାନୀ ବାହାର ଅନ୍ୟ ଅଞ୍ଚଳରେ ପରିଲକ୍ଷିତ ହୁଅନ୍ତା ତେବେ ଗାଜ୍ୟବାସୀ ଏହାକୁ ପ୍ରଶଂସା କରିଥାନ୍ତେ। ମାତ୍ର କିଛି ବୋଲକରା ଗଣମାଧ୍ୟମକୁ ଧରି ଏହି ରାଜନେତାମାନେ ଯେଉଁ ଡ୍ରାମାବାଜୀ କରୁଛନ୍ତି ତାହା ଏବେ ସର୍ବ ସାଧାରଣରେ ଆଲୋଚ୍ୟର ବିଷୟ। ଏହି ପ୍ରକାର ଅସୁସ୍ଥ ରାଜନୈତିକ ପରଂପରା ଦୀର୍ଘ ଦିନରୁ ଚାଲି ଆସୁଅଛି। ଏହା କେବେ ବି ସଫଳ ହୋଇ ନ ଥିଲା କିମ୍ବା ସଫଳ ହେବ ନାହିଁ ମଧ୍ୟ। ତଥାପି ଏକ ଅସୁସ୍ଥ ରାଜନୈତିକ ପରମ୍ପରାକୁ ପ୍ରଶୟ ଦେବା କେତେ ଦୂର ଯୁକ୍ତିଯୁକ୍ତ ତାହା ରାଜ୍ୟବାସୀ ବିଚାର କରିବେ।