Odiapua.com

ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ : ଏକ ମାସ ମଧ୍ୟରେ ୩୭ ଅଧିକାରୀ ବରଖାସ୍ତ

– ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଂଜିନିୟରଙ୍କ ସମେତ ୧୬ ଜଣ ଅଫିସର ବରଖାସ୍ତ
ଭୁବନେଶ୍ୱର ୧୩-୯ (ଓଡ଼ିଆ ପୁଅ) ଦୁର୍ନୀତି ବିକାଶର ସବୁଠାରୁ ବଡ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା (Zero Tolerance) ନୀତି ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ତେଣୁ ଦୁର୍ନୀତି ବିରୁଦ୍ଧରେ ତାଙ୍କର କଡା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି ୧୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଂଜିନିୟର, ୨ ଜଣ ରେଭେନ୍ୟୁ ଇନ୍ସପେକ୍ଟର, ଜଣେ ଫାର୍ମାଶିଷ୍ଟ, ଜଣେ ଅମୀନ, ଜଣେ ପଞ୍ଚାୟତ ପଂଚାୟତ ଏଜ୍ୟୁକୁଟିଭ୍ ଅଫିସର ଏବଂ ୨ ଜଣ କିରାଣୀ ଅନ୍ତର୍ଭୁକ୍ତ। ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ- ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୧ର ଯିବେଶ ଚନ୍ଦ୍ର ରଥ, ଦଶପଲ୍ଲା ରୁରାଲ୍ ୱାର୍କର ଆସିଷ୍ଟାଂଟ ଇଂଜିନିୟର ତ୍ରୁପ୍ତି ଭେଙ୍କେଟେଶ୍ୱର ପାଣି, କାମାକ୍ଷାନଗର ବ୍ଲକ୍ ଜୁନିଅର ଇଂଜିନିୟର ବସନ୍ତ କୁମାର ପାତ୍ର , ଯାଜପୁର ମାଇନର ଇରିଗେସନ ଡିଭିଜନର ଜୁନିଅର ଇଂଜିନିୟର ପ୍ରକାଶ ଚନ୍ଦ୍ର ସିଂହ , ବଳରାମପୁର ଜଗତସିଂହପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ବିଶ୍ୱାଳ, ମାଥିଲି ବ୍ଲକର ସାରଙ୍ଗପାଲି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡାହାଣ୍ଡିର ପିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାତ୍ର ଏବଂ ଟୋମ୍ ସ୍କୁଲ ପାପଡାହାଣ୍ଡିର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳର କୋଟଗଡ ବ୍ଲକ ଏସଇସି ଅଡାରୀ ନ୍ୟୁ ପ୍ରାଇମେରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁଚରଣ ଡିଗଲ, କୋଦଳା ତହସିଲ ଅଫିସର ରେଭେନ୍ୟୁ ଇନସପେକ୍ଟର ମଙ୍ଗୁଳୁ ନାଏକ, ଶାଳପଡାର ରେଭେନ୍ୟୁ ଇନସପେକ୍ଟର ନରହରି ଓଝା, କେନ୍ଦୁଝର ବାସୁଦେବପୁରର ପିିଡିର ଅମୀନ ଶରତ ଚନ୍ଦ୍ର ସେଠୀ, ବୌଦ୍ଧ ପୁରୁଣା କଟକ ସିଏଚସିର ପୂର୍ବତନ ଫାର୍ମାଶିଷ୍ଟ ସନ୍ତୋଷ କୁମାର ପଣ୍ଡା , ଇଚ୍ଛାପୁର ହାଇସ୍କୁଲର କନିଷ୍ଠ କିରାଣୀ ନକୁଳ କୁମାର ଖମାରୀ, ବୌଦ୍ଧ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିରେନ୍ଦ୍ର କୁମାର ପଣ୍ଡା ଏବଂ କୋରାପୁଟ ନନ୍ଦପୁର ବ୍ଲକର ପଂଚାୟତ ଏଜ୍ୟୁକୁଟିଭ୍ ଅଫିସର ଶ୍ରୀ ପ୍ରଶାନ୍ତ ଚନ୍ଦ୍ର ନାୟକ ।

ସୂଚନାଯୋଗ୍ୟ ଯେ ଗତ ଏକ ମାସ ମଧ୍ୟରେ ୩୭ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରିବା ସହିତ ୬ ଜଣଙ୍କ ପେନ୍ସନ ରାଜ୍ୟ ସରକାର ବନ୍ଦ କରିଛନ୍ତି।