Odiapua.com

ବେଆଇନ ବାଲି ଚାଲାଣ, ୩ ଟ୍ରକ୍ଟର ଜବତ୍

କୋଲାବିରା, ୧୩।୨ (ଓଡିଆ ପୁଅ/ନିଶିତ ବହିଦାର) ଆଜି ପୁଣି ବାଲି ଚୋରା ଚାଲାଣ ହେଉଥିବା ସମୟରେ ୩ଟି ଟ୍ରାକ୍ଟର କୁ ରାଜସ୍ୱ ବିଭାଗ ଦ୍ୱାରା ଜବତ୍ କରାଯାଇଛି। କୋଲାବିରା ତହସିଲ ଅନ୍ତର୍ଗତ ସୋଢାମାଲ ବ୍ରିଜ ଭେଡେନ ନଦୀ ବାଲିସର୍ଯ୍ୟାରୁ ସମ୍ବଲପୁର ପଡିଆବାହାଲ ଅଂଚଳର ୩ଟି ଟ୍ରାକ୍ଟର ବାଲି ଚୋରିକରି ନେଉଥିବା ସମୟରେ ସମାସିଂହା ରାଜସ୍ୱ ନିରୀକ୍ଷକ ଜଗଦିଶ ସାହୁଙ୍କ ହାବୁଡରେ ପଡିଥିଲେ। ବାଲି ବୋଝେଇ ୩ଟି ଟ୍ରାକ୍ଟରକୁ ଜବତ୍ କରାଯାଇ କୋଲାବିରା ପୁଲିସର ହେପାଜତରେ ଦିଆଯାଇଛି। ଓଡି୧୫ଏଫ୦୧୮୯ ନମ୍ବର ବିଶିଷ୍ଟ ଏକ ଟ୍ରକ୍ଟର ସମେତ ୨ଟି ନମ୍ବର ବିହିନ ଟ୍ରାକ୍ଟରରେ ମାତ୍ରାଧିକ ଓଭରଲୋଡ ବାଲି ଲୋଡ ହୋଇ ସମ୍ବଲପୁର ଅଂଚଳକୁ ଯାଉଥିଲା। ବାଲି ଚୋରା ଚାଲାଣ କାରୀଙ୍କ ବିରୁଦ୍ଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ସମାସିଂହା ରାଜସ୍ୱ ନିରୀକ୍ଷକ ଜଗଦିଶ ସାହୁଙ୍କୁ ପଚାରିବାରୁ ତହସିଲଦାର ଉପରେ ନିର୍ଭର କରୁଥିବା ବିଷୟରେ ପ୍ରକାଶ କରିଥିଲେ। ତେବେ ତହସିଲଦାର ସଂଜିବ କୁମାର ପଟେଲ ମିଟିଂପାଇଁ ଜିଲ୍ଲାମୁଖ୍ୟାଳୟକୁ ଯାଇଥିବାରୁ କେତେପରିମାଣରେ ଜରିମାନା କରାଯିବ ଏବଂ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଜଣାପଡିନାହିଁ। ସୂଚନା ଯୋଗ୍ୟ ଯେ ନିତି ପ୍ରତିଦିନ ଏହିପରି ଭାବରେ ଭେଡେନ ନଦି ପଠାରୁ ବାଲି ଚୋରାଚାଲାଣ ହେଉଥିବା ଦେଖାଯାଉଛି। ମାତ୍ର ଝାରସୁଗୁଡା ସୀମାବର୍ତି ଇଲାକା ହୋଇଥିବାରୁ ଏଦିଗରେ ବିଭାଗୀୟ ଅଧିକାରୀଙ୍କ ବିଶେଷ ଧ୍ୟାନ ରହୁନଥିବାରୁ ସରକାରଙ୍କ ବିପୁଲ ରାଜସ୍ୱ ହାନୀ ହେଉଛି। ଏଦିଗରେ କୋଲାବିରା ତହସିଲ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦାବି ହେଉଛି।