Odiapua.com

ପୁଣି ଥରେ ଦୈତାରୀରେ ତୀରମାଡ଼

ହରିଚନ୍ଦନପୁର, ତା ୨୮ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କିଛି ମାସର ନିରବତା ପରେ ଗତକାଲି (ଗୁରୁବାର) ରାତିରେ ପୁଣି ଦୈତାରୀ ମାଇନ୍ସ ହିଲଟପ୍ ଓ୍ବେବ୍ରିଜ୍ ପାଖରେ ଏକ ଚଳନ୍ତା ଭଲବୋ ଗାଡ଼ି ଉପରକୁ କୌଣସି ଦୁବୃର୍ତ୍ତଙ୍କ ତୀରମାଡ କରିଥିବା ଜଣାପଡିଛି। ଖବର ଅନୁଯାୟୀ ତୀର ଗୁଡିକ କୌଣସି ଲୋକଙ୍କ ଦେହରେ ବାଜି ନଥିବା ବେଳେ ଅଳ୍ପକେ ଖସିଯାଇ ସିଧା ଗାଡି ମଧ୍ୟରେ ବାଜିଛି। ଦୈତାରୀ ଥାନା ଅଧିକାରିଣୀ ଛୁଟିରେ ଥିବାରୁ ଘଟଣା ସମ୍ପର୍କରେ ଖବର ପାଇ ଘଟଗାଁ ଏଡିପିଓ ରବିନ୍ଦ୍ର ମଲ୍ଲିକ ଓ ଦୈତାରୀ ଥାନା ଏଏସଆଇ ବୈଲୋଚନ ସିଂ ସହ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଏପର୍ଯ୍ଯନ୍ତ କାହାରିକୁ ଗିରଫ କରାଯାଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଥାଉକି ଗତ ବର୍ଷ ଅକ୍ଟୋବର ମାସ ୨୨ ତାରିଖ ଦିନ ଦୈତାରୀ ମାଇନ୍ସରେ ଦୁବୃର୍ତ୍ତମାନଙ୍କ ଦ୍ଵାରା ଚଳନ୍ତା ବସ୍ ଉପରକୁ ତୀରମାଡ ହୋଇଥିଲା, ଫଳରେ ତୀରଟି ଜଣେ କର୍ମଚାରୀଙ୍କ ପେଟରେ ବାଜିଥିଲା। ଓ ତାହାର ୫ଦିନ ପରେ ପୁଣି ମାଇନ୍ସରେ ଲାଗିଥିବା ଏକ ବୋଲେରୋ ଉପରକୁ ପଥର ମାଡ଼ ହୋଇଥିଲା। ଘଟଣାର କିଛି ଦିନ ପରେ ଦୈତାରୀ ପୋଲିସ ୩ଜଣ ଦୁବୃର୍ତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୁଣି ଗତକାଲିର ଘଟଣାରେ ପୋଲିସ ଦୁବୃର୍ତ୍ତଙ୍କ ଟେର ପାଇନଥିବାକୁ ନେଇ ଦୈତାରୀ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଯାହାକି ସନ୍ଧ୍ୟା ହେଲେ ଲୋକମାନେ ଘରୁ ବାହାରକୁ ବାହୁରୁ ନଥିବା ସହ ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡ଼ିଛି। ଠିକା କମ୍ପାନୀରେ ସ୍ଥୀନୀୟ ନିଯୁକ୍ତିକୁ ନେଇ କିମ୍ବା ଗୋଟିଏ ପରେ ଗୋଟିଏ ନୂଆ ୟୁନିୟନ ମୁଣ୍ଡ ଟେକୁଥିବାରୁ ନିଜର ଆଧିପତ୍ଯ ଜାହିର କରିବା ପାଇଁ ଏଭଳି ତୀରମାଡ ଘଟଣା ହେଉଥିବା ଅନୁମାନ କରାଯାଉଛି। ପୋଲିସ ତଦନ୍ତ ଓ ଅଭିଯୁକ୍ତଙ୍କ ଗିରଫ ପରେ ଘଟଣାର ସତ୍ଯାସତ୍ଯ ଲୋକଲୋଚନକୁ ଆସିବା ସହ ଲୋକମାନଙ୍କ ମଧ୍ୟରେ ଦେଖାଯାଉଥିବା ଭୟ ଦୂର ହେବ ବୋଲି ଜଣାପଡିଛି।