Odiapua.com

ପୁରୀରେ ଖୋଲିଲା ଆଉ ଦୁଇ କରୋନା ଓାର୍ଡ : ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ନଜର

ପୁରୀ, ୨୧/୩(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଉ ୨ ଟି ସ୍ୱତନ୍ତ୍ର ଓାର୍ଡ ଗତକାଲି ଖୋଲାଯାଇଛି। ଜିଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ଏବଂ ଗୋପବନ୍ଦୁ ଆୟୁର୍ବେଦ ମହାବିଦ୍ୟାଳୟରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର କରୋନା ଓାର୍ଡ ଖୋଲାଯାଇଥିଲା। ଏତଦ୍ ବ୍ୟତୀତ ୧୧ ଟି ବ୍ଲକ ସ୍ତରୀୟ ଡାକ୍ତରଖାନାରେ ଆଇସୋଲେସନ ଓାର୍ଡ ଖୋଲିବାକୁ ନିର୍ଦେଶ ଦିଆଯାଇଛି। କରୋନା ପ୍ରତିକାର ବ୍ୟବସ୍ଥା ସଂପର୍କରେ ବ୍ୟାପକ ଜନଜାଗରଣ ସୃଷ୍ଟି ପାଇଁ ଗ୍ରାମପଂଚାୟତ ଗୁଡିକୁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି। ୧୬ ଜଣ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ବ୍ଲକ ସ୍ତରୀୟ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ଜିଲାରେ ୧୯ ଗୋଟି ରାପିଡ ରେସପନ୍ସ ଟିମ ଗଠନ କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରକାଶ କରିଛନ୍ତି। ଭୁତାଣୁ ସଂକ୍ରମଣ ଏବଂ ସନ୍ଦିଗ୍ଧ ରୋଗୀଙ୍କ ସଂପର୍କରେ ପ୍ରତ୍ୟେକ ସଂଧ୍ୟା ୬ ଟା ସୁଧା ଜିଲା ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଡାକ୍ତର ନର୍ସ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ଥଣ୍ଡା ସର୍ଦ୍ଦି ଓ କାଶ ରୋଗୀଙ୍କ ପାଇଁ ଜିଲାର ସବୁ ସରାକରୀ ଡାକ୍ତର ଖାନା ରେ ଆଜି ଠାରୁ ଫ୍ଲୁ ଓାଡ ଖୋଲାଯିବ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଥିଲେ। ସ୍ୱତନ୍ତ୍ର କରୋନା ଓାର୍ଡ ରେ ନିୟୋଜିତ ଏବଂ ରାପିଡ ରେସପନ୍ସ ଟିମରେ ସାମିଲ ହୋଇଥିବା ସବୁ ଡାକ୍ତର ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଖୁବଶୀଘ୍ର ଭୂତାଣୁ ସଂକ୍ରମଣ ପ୍ରତିଷେଧକ ମାସ୍କ ସମେତ ସାନିଟାଇଜର ଯୋଗାଇ ଦିଆଯିବ। ବାହାରୁ ୧୫ ଦିନ ମଧ୍ୟରେ ଫେରିଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିବା ପାଇଁ ଗତକାଲି ବୈଠକରେ ନିର୍ଦେଶ ଦିଆଯାଇଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ବ୍ୟକ୍ତି ଗତ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ। କରୋନା ପ୍ରତିଷେଧକ ବ୍ୟବସ୍ଥାରେ ୧୭୦ ଡାକ୍ତର ୫୪ ଆୟୁସ ଡାକ୍ତର ୧୫୦୦ ସ୍ୱାସ୍ଥ୍ୟ କର୍ମୀ ୧୫୦୦ ଆଶା କର୍ମୀ ଏବଂ ୫୦୦ ଆଉଟସୋସିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୩ ଦିନ ମଧ୍ୟରେ ସେମାନଙ୍କୁ ତାଲିମ ପ୍ରଦାନ ସମେତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ଜିଲା ନିୟନ୍ତ୍ରଣ କକ୍ଷକୁ ଅଧିକ କ୍ରିୟାଶୀଳ କରାଯାଇ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାରେ ନିୟୋଜିତ କରାଯାଇଛି।