Odiapua.com

ଅଗଷ୍ଟ ୧୫ରୁ ଆମ ଘର ଆମ ହାଣ୍ଡିଶାଳ ଫାଇନାଲ୍ ରାଉଣ୍ଡ

ଭୁବନେଶ୍ୱର: ଓଟିଡିସି ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆରମ୍ଭ କରାଯାଇ ଥିବା ‘ଆମ ଘର ଆମ ହାଣ୍ଡିଶାଳ” କାର୍ଯ୍ୟକ୍ରମର ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବ ଫାଇନାଲ୍ ରାଉଣ୍ଡ। ଦୂରଦର୍ଶନରେ ଅଗଷ୍ଟ ୧୫ରୁ ପ୍ରତି ଶନିବାର ଏବଂ ରବିବାର ଅପରାହ୍ନ ସାଢ଼େ ଗୋଟାଏରେ ଏହି କାର୍ଯ୍ୟକ୍ରମର ଫାଇନାଲ ରାଉଣ୍ଡ ପ୍ରସାରିତ ହେବ। କାର୍ଯ୍ୟକ୍ରମର ଗ୍ରାଣ୍ଡ୍‌ ଫିନାଲେ ସହ ୩୧ଟି ଏପିସୋଡ୍‌ ଦୂରଦର୍ଶନରେ ପ୍ରସାରିତ ହେବ ବୋଲି ଜଣାପଡ଼ିଛି। ଫାଇନାଲ ରାଉଣ୍ଡରେ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପ୍ରଥମ ବିଜେତାଙ୍କ ପାଇଁ ୨୫ ହଜାର ଟଙ୍କା, ଦ୍ବିତୀୟ ବିଜେତାଙ୍କ ପାଇଁ ୧୫ ହଜାର ଟଙ୍କା ଓ ତୃତୀୟ ବିଜେତାଙ୍କ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଅର୍ଥ ରାଶିର ବ୍ୟବସ୍ଥା ରହିଛି। ଏହାସହ ସମସ୍ତ ପ୍ରତିଯୋଗୀଙ୍କୁ ଓଟିଡିସିର ୨୧ଟି ପାନ୍ଥନିବାସ ମଧ୍ୟରୁ ଯେ କୌଣସି ପାନ୍ଥନିବାସରେ ୨ ଦିନ ୨ ରାତିର ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ଅଭିନେତା ସାଂସଦ ଅନୁଭବ ମହାନ୍ତି, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା କୁନା ତ୍ରିପାଠୀ, ସୁଲୋଚନା ଦାସ, ସୁଲତା ଦେଓ, ଅଭିନେତ୍ରୀ ଅନୀଷା, ମଧୁମିତା ମହାନ୍ତି ଏବଂ ଲତିକା ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ଭାରର ଅଧିକ ପ୍ରଚାର ପ୍ରସାର କରିବା ସହ ଗୃହିଣୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ “ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହାକୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶୁଭାରମ୍ଭ କରିଥିଲେ। ଓଡ଼ିଆ ଖାଦ୍ୟ ସମ୍ଭାର ପ୍ରତି ଲୋକଙ୍କୁ ଆକର୍ଷିତ କରିବା, ଓଡ଼ିଆ ଘରର ନିଆରା ଖାଦ୍ୟ, ଓଡ଼ିଆଣୀଙ୍କ ରୋଷେଇ କଳାକୁ ଏକ ମଞ୍ଚ ଦେବା ଏବଂ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। /-ଦେବଦତ୍ତ ରଥ