Odiapua.com

ୱାର୍ଡ଼ବାସୀଙ୍କୁ ଭେଟିଲେ ସଦର ବିଧାୟକ

ବାଲେଶ୍ୱର, ୧୯ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ନିର୍ବାଚିତ ହେବା ପରେ ପ୍ରଥମଥର ପାଇଁ ସଦର ବିଧାୟକ ସ୍ୱରୂପ ଦାସ ନିଜ ଘରପାଖ ୧୬ ୱାର୍ଡ଼କୁ ଯାଇ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ୱାର୍ଡ଼ର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ନୂଆପୋଖରୀର ପୁନରୁଦ୍ଧାର ସାଙ୍ଗକୁ ଏହାର ହୁଡ଼ାରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ଥଇଥାନ ସମ୍ପର୍କରେ ସେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ବିଧାୟକ ଶ୍ରୀ ଦାସଙ୍କୁ ଅତି ନିକଟରେ ପାଇ ପିଲାଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ତାଙ୍କୁ ଘେରିଯାଇଥିଲେ। ଫୁଲତୋଡ଼ା ଦେଇ ତାଙ୍କୁ ସମସ୍ତେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏହି ୱାର୍ଡ଼ରେ ବାକିଥିବା ସମସ୍ତ ଜନକଲ୍ୟାଣ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରିବା ସହ ନୂଆପୋଖରୀ ପଙ୍କ ଉଦ୍ଧାର, ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ଘରଡିହ ପଟା ଓ ଆବାସ ଯୋଜନାରେ ଗୃହ ପ୍ରଦାନ, ବିଦ୍ୟୁତ୍‍ଓ ପାନୀୟ ଜଳ ପ୍ରଭୃତି ଯୋଗାଣ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ସେ ପୌରପାଳିକାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି। ବିଧାୟକ ଶ୍ରୀ ଦାସଙ୍କ ୱାର୍ଡ଼ ପରିଦର୍ଶନ ବେଳେ ଯୁବନେତା ସଂଜୀବ ଦାସ, ନଗର ବିଜେଡି ସଭାପତି ସନତ ଦାସ, ମହିଳା ନେତ୍ରୀ ଅପର୍ଣ୍ଣା ସାହୁ, ବୀଣାପାଣି ନାୟକ, ରୁନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।