Odiapua.com

୯ ବର୍ଷ ହେଲା ଶିଳ୍ପପତିଙ୍କୁ ଅପେକ୍ଷା କରିଛନ୍ତି ଭଦ୍ରକ ଜିଲାବାସୀ , ୪୦ ହଜାର କୋଟି ଟଙ୍କାର ଭେଳିକି ସଫଳ ହେବ କେବେ!

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଅବର୍ଷ ହୋଇଗଲାଣି ଭଦ୍ରକ ଜିଲାବାସୀଙ୍କୁ ୪୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ଆଶା ଆଶାରେ ରହିଛି । ନଅ ବର୍ଷ ହେଲା ୪୦ ହଜାର କୋଟି ଟଙ୍କାର ଯୋଜନା ଫାଇଲ୍ ଭିତରେ ବନ୍ଧା ହୋଇପଡିଛି । ଧାମରା ଉପକୂଳରେ ଏହି ୪୦ ହଜାର କୋଟି ଟଙ୍କାର ବିଭିନ୍ନ କଳ କାରଖାନା ବସାଇବା ପାଇଁ ଦେଶ ଓ ଦେଶ ବାହାରର ବିଭିନ୍ନ କଂପାନୀ ଯେଉଁ ଏମ୍‌ଓୟୁ ସାଇନ୍ କରିଥିଲେ, ତାହା ଆଶାରେ ରହିଗଲାଣି । ଏହି କଂପାନୀମାନଙ୍କ ପାଇର୍ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା, ତାହାକୁ କିଏ ମାଡି ବସିଲାଣି ତାର ଠିକଣା ନାହିଁ । ଅନ୍ୟପକ୍ଷରେ ଧାମରା ସାମୁଦ୍ରିକ ବନ୍ଦର କଂପାନୀ ପ୍ରତିବର୍ଷ ସରକାରୀ ଜମିକୁ ମାଡି ବସିବାକୁ ଲାଗିଥିବାବେଳେ ବଙ୍ଗୋପସାଗର କୂଳେ କୂଳେ ନିଜ ପ୍ରକଳ୍ପ ସୀମା ବଢାଇ ଚାଲିଛି । କିନ୍ତୁ ବିଦେଶୀ କି ଦେଶୀ କଂପାନୀ କେହି ଜଣେ ହେଲେ ଧାମରା ମାଟି ମାଡୁନାହାଁନ୍ତି । ୨୦୦୭ ରୁ ବନ୍ଦର ନିର୍ମାଣ ପାଇଁ ଇଟା ପଡିଲା ସ୍ୱପ୍ନ ଦେଖାିଲେ ରାଜ୍ୟ ସରକାର ଓ ସ୍ୱପ୍ନ ଦେଖିଲେ ଜିଲାବାସୀ । ୨୦୦୭ ରୁ ୨୦୧୦ ଯାଏ ଧାମରା ବନ୍ଦର ପାଶ୍ୱର୍ରେ ବିଭିନ୍ନ ପ୍ରକାର ଶିଳ୍ପ ଗଢି ଉଠିବା ପାଇଁ ଶିଳ୍ପପତିମାନେ ସରକାରଙ୍କ ସହ ଏମ୍‌ଓୟୁ ସାଇନ୍ କଲେ । ଏହାସାଙ୍ଗକୁ ଧାମରା ଉପକୂଳରେ ସମୁଦ୍ର ଭିତରେ ତୈଳକୂପ ଉତ୍ତୋଳନ କରିବାକୁ ରିଲିଆନସ୍ କଂପାନୀ ମଧ୍ୟ ଆଗେଇ ଆସିଲା । ପାଖାପାଖି ୪୦ ହଜାର କୋଟିରୁ ଅଧିକ ଟଙ୍କାର ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁ ସ୍ୱପ୍ନ ସୃଷ୍ଟି ହୋଇଥିଲା, ତାହା ଆକାଶ କଇଁଆ ଚିଲିକା ମାଛ ପରି ହୋଇଛି । ପେସ୍କୋ ପ୍ରକଳ୍ପ ଓଡ଼ିଶାକୁ ବାଏ ବାଏ କରି ଚାଲିଯାଇଥିବାବେଳେ ଭଦ୍ରକ ଜିଲାରେ ଏହି ୪୦ ହଜାର କୋଟି ସ୍ୱପ୍ନ ଏବେ ସ୍ୱପ୍ନରେ ରହିଯିବାକୁ ବସିଛି । ଚରଦିଆରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ ସୁରେନ୍ଦ୍ର ଗ୍ରୁପ୍ ଅଫ୍ କଂପାନୀ ଓ ଭାରତୀ ସିପ୍ୟାର୍ଡ କଂପାନୀ ମିଳିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ଜାହାଜ ତିଆରି କାରଖାନା ସାଙ୍ଗକୁ ଅଏଲ୍ ଲିକ୍ କାରଖାନା ପ୍ରତିଷ୍ଠା କରିବାକୁ ପ୍ରଥମ ପର୍ଯ୍ୟାୟରେ ୩୧୪୨ କୋଟି ଟଙ୍କା ପୁଂଜି ନିବେଶ କରିବାକୁ ଲକ୍ଷ୍ୟ ରଖିଥିଲେ । ଏଥିପାଇଁ ଜମି ବି ଅଧିଗ୍ରହଣ ହୋଇସାରିଥିଲା । ତାହା ମଝି ବାଟରେ ଅଟକି ଯାଇଛି । ପୁଞ୍ଜିନିବେଶକାରୀ ଗାଏବ ହୋଇ ଯାଇଛନ୍ତି । ସେହିପରି ଏଲ୍‌ଏଣ୍ଡଟି କଂପାନୀ ଏକ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୨୦୦୮ ରୁ ପ୍ରସ୍ତାବ ରଖିଥିଲା ।

ଏଥିପାଇଁ କଂପାନୀ ୧୫୪୫ ଏକର ଜମି ଆବଶ୍ୟକ କରୁଥିଲା । ଯାହାକି ୧୦ ହଜାର ୨୧୬ କୋଟି ଟଙ୍କା ଏଠାରେ ପୁଂଜି ନିବେଶ ହୋଇଥାଆନ୍ତା । କିନ୍ତୁ ତାହା ଘୋଷଣାରେ ରହିଯାଇଛି । ସେହିପରି ଗୁଜୁରାଟର ଉଇଲସ୍ ଫୋନ୍ କଂପାନୀ ଷ୍ଟିଲ୍ କାରକାନା ଶିଳ୍ପ ପ୍ରତିଷ୍ଠା ପାଇଁ ଧାମରା ବନ୍ଦର ପାଚେରୀ ପାଶ୍ୱର୍ରେ ୩୦୦ ଏକରରୁ ଅଧିକ ଜମି କିଣି ନିଜ ପାଚେରୀ ବୁଲାଇଛି । ଏହି ପାଚେରୀ ବୁଲାଇଲାବେଳେ ଗୁଳିଗୁଳା ଫାଇରିଙ୍ଗ୍ ହେବା ସାଙ୍ଗକୁ ଜଣେ ଶ୍ରମିକର ମୃତ୍ୟୁ ବି ହୋଇଥିଲା । ଉଇଲସ୍ ଫୋନ୍ କଂପାନୀ ବିଦାୟ ନେବା ପରେ କିଣିଥିବା ଜମି ଧାମରା ବନ୍ଦରକୁ ହସ୍ତାନ୍ତର କରିଦେଇଛି । ତେଣୁ ଷ୍ଟିଲ କାରଖାନାହରୁ ଏହି ୬୧୦୦ କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ସ୍ୱପ୍ନ ହୋଇଗଲା । ସେହିପରି ବନାନୀ ସିମେଣ୍ଟ କଂପାନୀ ପକ୍ଷରୁ ୧୩୦ କୋଟି ଟଙ୍କାର ଝାମା ଇଟା ୟୁନିଟ୍ ପ୍ରକଳ୍ପ ପ୍ରତିଷ୍ଠା କରିବେ ବୋଲି ଘୋଷଣାରେ ରହିଯାଇଛି । ସେହିପରି ଶ୍ରୀମେଟାଲିକ୍ କଂପାନୀ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରି ୬୦୦ ମେଗାୱାଟ୍ ବିଶିଷ୍ଟ ଏକ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲା । ପ୍ଲାଣ୍ଟ ଦୂରର କଥା ଇଟା ଖଣ୍ଡିଏ ବି ପଡିନାହିଁ । ସେହିପରି ରଶ୍ମି ମେଟାଲିକ୍ ମନ୍ତେଇ ନଦୀ କୂଳରେ ବଳିଆରପୁର ଓ ମହୁଲିଆ ଆଦି ଅଂଚଳରୁ ଶହ ଶହ ଏକର ଜମି କିଣି ଏକ ପାୱାର ପ୍ଲାଣ୍ଟ ଓ ସିମେଣ୍ଟ ଗ୍ରାଇଣ୍ଡିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ କରିଥିଲା । ଏହି କଂପାନୀ ୩୪୫୬ କୋଟି ଟଙ୍କାର ପୁଂଜି ନିବେଶ କରିବା ପାଇଁ ଘୋଷଣାହ କରିଥିଲା । ତାହା ଏବେ ସ୍ୱପ୍ନ ହୋଇଯାଇଛି । ସେହିପରି କୋଣାର୍କ କ୍ରାନ୍ତି ଏନର୍ଜି ଲିମିଟେଡ୍ ପକ୍ଷରୁ ଧାମରା ବନ୍ଦର ପାଶ୍ୱର୍ରେ ୧୫୦ କୋଟି ଟଙ୍କାର ପେଟ୍ରୋଲିୟମ୍ ଷ୍ଟୋରେଜ୍ ଟ୍ୟାଙ୍କ ନିର୍ମାଣ କରିବାର ପ୍ରସ୍ତାବ ରଖିଥିଲା । ତାହା ପ୍ରସ୍ତାବରେ ରହିଯାଇଛି । ସେହିପରି ପେଟ୍ରୋନେଟ୍ ଏନର୍ଜି କଂପାନୀ ପକ୍ଷରୁ ୫ ହଜାର କୋଟି ଟଙ୍କା ବ୍ୟୟରେ ଏକ ନ୍ୟାଚୁରାଲ ଗ୍ୟାସ୍ ଟର୍ମିନାଲ ପ୍ଲାଣ୍ଟ ପ୍ରସ୍ତୁତ ହୋଇଥାଆନ୍ତା । କିନ୍ତୁ ତାହା ଘୋଷଣାରେ ରହିଯାଇଛି । ସେହିପରି ଅଲ୍‌ଟ୍ରେଡ୍ ଆଇରନ୍ ଓ ପାୱାର ଲିମିଟେଡ୍ କଂପାନୀ ୬୦୦ କୋଟି ଟଙ୍କା ବିନିମୟରେ ଏକ କାରଖାନା କରିବ ବୋଲି ଘୋଣୋ କରିଥିଲା, ତାହା ବି ଘୋଷଣାରେ ରହିଛି । ସେହିପରି ଗାଲ୍‌ଭିନ୍ ମେରାଇନ୍ ନାମକ ଏକ କଂପାନୀ ୩୦୦୦ କୋଟି ଟଙ୍କା ବ୍ୟୟରେ ଭଙ୍ଗା ଜାହାଜର ମରାମତି ପ୍ଲାଣ୍ଟ ବସାଇବ ବୋଲି ଘୋଷଣା କରିଥିଲା । ତାହା ବି ଘୋଷଣାରେ ରହିଯାଇଛି । ଏହା ସହିତ ୧୦୦ କୋଟିଆ ଛୋଟ ଛୋଟ ୨୦ ରୁ ଅଧିକ ଶିଳ୍ପପତି ଧାମରାରେ ଜମି କିଣି ବସିଛନ୍ତି ନିଜ ପ୍ଲାଣ୍ଟ ପ୍ରସ୍ତୁତ କରିବାକୁ । କିନ୍ତୁ ସବୁ ସ୍ୱପ୍ନ । ଧାମରା ଅଂଚଳରେ ଜମି ଏବେ ଡିସିମିଲ୍ ୭ ଲକ୍ଷ । ଯାହାକି ଏକରକୁ ୭ କୋଟି ମୂଲ୍ୟ ଧରିଲାଣି ।