Odiapua.com

୯ ଦଫା ଦାବି ନେଇ ଚାଷୀ ମୂଲିଆ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୯ ଦଫା ଦାବି ନେଇ ଚାଷୀ ମୂଲିଆ ସଂଘ, ଓଡ଼ିଶା ଭଦ୍ରକ ଜିଲା କମିଟି ପକ୍ଷରୁ ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଏକ ବିକ୍ଷୋଭ ଓ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପ୍ରତିବାଦ ସଭାରେ ସ୍ୱାଧୀନତାର ୭୫ତମ ବର୍ଷ ପରେ ଭଦ୍ରକ ଜିଲାର ସହରାଞ୍ଚଳରେ ଥିବା ବସ୍ତିବାସିନ୍ଦାମାନଙ୍କୁ ସରକାରୀ ବସ୍ତିର ମାନ୍ୟତା ମିଳିପାରିଲାନାହିଁ । ଚିହ୍ନଟ ହୋଇପାରିଲେ ନାହିଁ ବସ୍ତି ବାସିନ୍ଦା ପରିବାର । ସହର ଓ ଗ୍ରାମାଞ୍ଚଳର ତଳିଆ ସ୍ଥାନ, ଅଳିଆଗଦା, ରାସ୍ତାକଡ, ରେଳଲାଇନ କଡ, ନଦୀବନ୍ଧ, କେନାଲ କଡ, ପୋଲ ତଳେ ଜୀବନ ବିତାଉଥିବା ଏହି ବସ୍ତିବାସିନ୍ଦାଙ୍କର ଭାଗ୍ୟ ଆଜିଯାଏଁ ସୁଧୁରି ପାରିଲାନି । ସହର ଓ ଗ୍ରାମାଞ୍ଚଳରେ ରହି ସହର ଓ ଗ୍ରାମକୁ ତିଆରି କରିବା ପାଇଁ ଲୁହ ଓ ଲହୁ ନିଗାଡି କଠନି କାର୍ଯ୍ୟ କରିଥାଆନ୍ତି । ସହରର ବଡ ବଡ ଅଟ୍ଟାଳିକା ଠାରୁ ଆରମ୍ଭ କରି ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏମାନେ ନିର୍ମାଣକାରୀ । କୋଠା, ରାସ୍ତା, ପୋଲ, ଓଭରବ୍ରିଜ୍‌, ମନ୍ଦିର, ମସଜିଦ, ଗିର୍ଜା, ପାଣି ଟାଙ୍କି, ପାଣି ପାଇପ୍ ବିଛାଇବା ଠାରୁ ଆରମ୍ଭ କରି ରେଳ ଲାଇନ ବିଛାଇବା କାର୍ଯ୍ୟ କରନ୍ତି । ରାତି ପାହିଲେ ସହର ଛକରେ ଏହି ବସ୍ତିବାସିନ୍ଦାଙ୍କର ମେଳା ଲାଗିଥାଏ । କଣ୍ଟ୍ରାକ୍ଟର ଓ ଠିକାଦାରମାନେ ଗାଡିରେ ଲୋଡ୍ କରି ଏମାନଙ୍କୁ କାମ କରିବା ପାଇଁ ବୋହି ନେଇଥାନ୍ତି । ବିଭିନ୍ନ ବସ୍ତି ବାସିନ୍ଦାମାନଙ୍କର ଅଧିକାର ଦେବା ପାଇଁ ନେତା, ମନ୍ତ୍ରୀ ଅଫିସରମାନେ ପ୍ରତିଶ୍ରୁତି ଦେଇ ଭୁଲିଯାଆନ୍ତି । ଭଦ୍ରକ ସହରାଞ୍ଚଳରେ ୧୪୪ ଟି ବସ୍ତି ଥିବାବେଳେ ମାତ୍ର ହାତଗଣତି ୧ ରୁ ୨ ଟି ବସ୍ତିକୁ ସରକାରୀ ମାନ୍ୟତା ମିଳିଛି । ସେହିପରି ଗ୍ରାମାଞ୍ଚଳରେ ରହୁଥିବା ଭୂମିହୀନ ପରିବାରମାନଙ୍କୁ ପଞ୍ଚାୟତ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପୂର୍ବରୁ ଘରଡିହ ପଟ୍ଟା ଯୋଗାଇଦେବା ପାଇଁ ଏମାନଙ୍କୁ ପ୍ରତିଶ୍ରୁତି ମିଳିଥାଏ ।

କିନ୍ତୁ ତାହା ପୂରଣ ହୋଇନାହିଁ । ଭଦ୍ରକ ଜିଲାର ଭଦ୍ରକ ବ୍ଲକ୍ ସମେତ ଭଣ୍ଡାରିପୋଖରୀ, ତିହିଡି, ବନ୍ତ, ଚାନ୍ଦବାଲି ଓ ଅନ୍ୟାନ୍ୟ ବ୍ଲକ୍‌, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହୁଥିବା ଭୂମିହୀନ ଓ ଘରଡିହ ନଥିବା ପରିବାରଙ୍କୁ ଘରଡିହ ପଟ୍ଟା ଓ ଜାଗା ମିଶନରେ ଏହି ଜମିର ପ୍ରମାଣପତ୍ର ମିଳିନାହିଁ । ଏ ନେଇ ସଂଘ ପକ୍ଷରୁ ତହସିଲ ଠାରୁ ଆରମ୍ଭ କରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ୧୦ ବର୍ଷ ଧରି ବିଭିନ୍ନ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଆଜିଯାଏ ସୁଫଳ ମିଳିନାହିଁ ବୋଲି ପ୍ରତିବାଦ ସଭାରେ ଅସନ୍ତୁଷ୍ଟ ସଂଘର ନେତାମାନେ ମତବ୍ୟକ୍ତ କରିଥିଲେ । ବସ୍ତିର ପିଲାମାନେ ଜାତିଗତ ପ୍ରମାଣ ଅଭାବରୁ ପାଠ ପଢିପାରୁନାହାଁନ୍ତି ବୋଲି ସଂଘ ପକ୍ଷରୁ ମଧ୍ୟ ମତ ପ୍ରକାଶ ପାଇଛି । ଜିଲାପାଳଙ୍କୁ ଦେଇଥିବା ଦାବିଗୁଡିକ ହେଲା ସହରାଞ୍ଚଳର ସମସ୍ତ ବସ୍ତିକୁ ଯଥାଶୀଘ୍ର ସରକାରୀ ମାନ୍ୟତା ଦେବା ସହ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରାଯାଇ ଜାଗା ମିଶନରେ ଜାଗା ପ୍ରମାଣପତ୍ର ଓ ବାସଗୃହ ଯୋଗାଇବା, ଗ୍ରାମାଞ୍ଚଳରେ ରହୁଥିବା ଭୂମିହୀନ ପରିବାରଙ୍କୁ ଚିହ୍ନଟ କରାଯାଇ ସର୍ବନିମ୍ନ ୧୦ ଡିସିମିଲ୍ ଘରଡିହ ପଟ୍ଟା, ବିନା ଦେୟରେ ୨୦୦ ୟୁନିଟ୍ ବିଜୁଳି ଶକ୍ତି ଯୋଗାଇବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଭୂମିହୀନ ପରିବାରଙ୍କୁ ଘରଡିହ ଓ ଭୂମିର ପ୍ରମାଣପତ୍ର ଯୋଗାଇନଦେବା ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢା ପାଇଁ ବିନା ଜମିପଟାରେ ଜାତିଗତ ପ୍ରମାଣପତ୍ର ଯୋଗାଇବା ଭଳି ଅନ୍ୟାନ୍ୟ ଦାବିମାନ ରହିଛି । ଚାଷୀ ମୂଲିଆ ସଂଘ ଜିଲା କମିଟିର ସଂପାଦକ ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବଳରାମ ନାୟକ, ଗଜେନ୍ଦ୍ର ମୁର୍ମୁ, ମାନ ମୁଣ୍ଡା, ପୂର୍ଣ୍ଣ ସିଂ, ଜବା ମୁର୍ମୁ, ମଂଜୁ ନାୟକ, ଉଦୟ ହେମ୍ବ୍ରମ୍ବ, ବିକ୍ରୟମ ହେମ୍ବ୍ରମ୍‌, କୁନି ସିଂ, ଶ୍ରୀମତୀ ବେହେରା, ବାସନ୍ତୀ ଜେନା, ପାକନ ଚମ୍ପିଆ, ତୁରି ସିଂ ପ୍ରମୁଖ ବହୁ ମହିଳା ଓ ପୁରୁଷମାନେ ଏହି ବିକ୍ଷୋଭରେ ସାମିଲ ଥିଲେ ।