ଭଦ୍ରକ, ୧୧ା୬ ( ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ଅଙ୍ଗନବାଡ଼ି ଶିଶୁମାନଙ୍କ ପାଇଁ ଛତୁଆ ପ୍ରସ୍ତୁତି ନିମନ୍ତେ ରଖାଯାଇଥିବା ପ୍ରାୟ ୯୫ କ୍ୱିଂଟାଲ ପୋକରା ଓ ଖାଦ୍ୟ ଅଯୋଗ୍ୟ ଗହମକୁ ନେଇ ବିବାଦ ଘନୀଭୂତ ହେଉଛି। ଏହି ଗହମକୁ ତୁରନ୍ତ ନଷ୍ଟ କରିବା ପାଇଁ ପ୍ରଶାସନିକ ନିର୍ଦ୍ଦେଶ ଥିବା ସତ୍ୱେ ଦୀର୍ଘଦିନ ଧରି କାର୍ଯ୍ୟକାରୀ ନ ହେବା ଏବଂ ପରେ ପାଣିରେ ବିସର୍ଜନ ଘଟଣାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ବିପୁଳ ପରିମାଣର ଗହମ ନଷ୍ଟ ହେବା ପାଇଁ ପ୍ରକୃତରେ ଦାୟୀ କିଏ! ଏହାର ଆର୍ôଥକ କ୍ଷତି କାହା ଠାରୁ ଆଦାୟ କରାଯିବ! ଉପଜିଲ୍ଲାପାଳଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ ଗହମ ନଷ୍ଟ କରିବାରେ ବିଳମ୍ବ କାହିଁକି ହେଲା ଏବଂ କିଏ ଏହି ନିର୍ଦ୍ଦେଶକୁ ଅମାନ୍ୟ କଲା, ତାହା ନେଇ ଚର୍ଚ୍ଚା ଜୋର ଧରିଛି।ଅନ୍ୟପଟେ, ଯେଉଁ ଛତୁଆ ଯୋଗାଣକାରୀ ସଂସ୍ଥାର ଦାୟିତ୍ୱ ନଥିଲା, ସେହି ସଂସ୍ଥା ପାଖରେ ଏତେ ପରିମାଣର ଗହମ କିପରି ରହିଲା ତାହା ମଧ୍ୟ ତଦନ୍ତର ବିଷୟ ହୋଇଛି। ଏହି ଗହମ କାହାର ଅନୁମତିରେ ସେଠାରେ ରଖାଯାଇଥିଲା ଏବଂ ସମୟ ସମୟରେ ଏହାର ଗୁଣବତା ଯାଂଚ କରାଯାଉଥିଲା କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ଶିଶୁମାନଙ୍କ ପୁଷ୍ଟିକର ଖାଦ୍ୟ ସହ ଜଡ଼ିତ ଏତେ ସମ୍ବେଦନଶୀଳ ମାମଲାରେ ପ୍ରଶାସନର ଅବହେଳା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ସମୟରେ ପଦକ୍ଷେପ ନିଆଯାଇଥାନ୍ତା, ତେବେ ଏତେ ପରିମାଣର ଗହମ ନଷ୍ଟ ହେବାକୁ ପଡ଼ୁନଥାନ୍ତା।ଏବେ ସମସ୍ତଙ୍କ ଦାବି ହେଉଛି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ଅଧିକାରୀ, କର୍ମଚାରୀ କିମ୍ବା ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତ ଅର୍ଥ ଆଦାୟ କରାଯାଉ। ଏହା ସହ ଭବିଷ୍ୟତରେ ଅଙ୍ଗନବାଡ଼ି ଶିଶୁମାନଙ୍କ ଖାଦ୍ୟ ସାମଗ୍ରୀ ପରିଚାଳନାରେ ସ୍ୱଚ୍ଛତା ଓ ଜବାବଦେହିତା ନିଶ୍ଚିତ କରିବାକୁ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।