Odiapua.com

୮ ଶହ ଟପିଲା ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା : ଦିନକରେ ୨ କରୋନା ରୋଗୀ ମୃତ

ବାଲେଶ୍ୱର, ୨୫ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରେ ବଢ଼ୁଥିବା କରୋନା ସଂକ୍ରମଣ ଜିଲ୍ଲା ପାଇଁ ମହାବିପଦ ଭାବେ ଘନୀଭୁତ ହେବାରେ ଲାଗିଛି। ଆଜି ୨୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଦ୍ୟାବଧି ୬୦୬ ଜଣ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୧୯୮ ଜଣ କରୋନା ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ କିଚିତ୍ସା କରାଯାଉଛି। ତେବେ ବାଲେଶ୍ୱରରେ ଆଜି ପ୍ରଥମ କରି ଦୁଇଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ରେମୁଣାର ଡାଇବେଟିସ୍ ଓ ମେଦବହୁଳ ରୋଗ ପୀଡ଼ିତ ୬୦ ବର୍ଷୀୟା ମହିଳା ଏବଂ ଗଣ୍ଠିବାତ ଓ ଇମ୍ୟୁନୋସପ୍ରେସନ ରୋଗରେ ପୀଡ଼ିତ ୩୭ ବର୍ଷର ଯୁବକଙ୍କର ଗତକାଲି ମୃତ୍ୟୁ ହୋଇଥିବା କୁହାଯାଇଛି। ପୂର୍ବରୁ ମଧ୍ୟ ଦୁଇଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲେ ବି ସେମାନଙ୍କୁ ଅନ୍ୟ ରୋଗ ଜନିତମୃତ୍ୟୁ ଭାବେ ତାଲିକାଭୁକ୍ତ କରାଯାଇ ନଥିଲା। ଅନ୍ୟପକ୍ଷରେ ଆଜି ଚିହ୍ନଟ ହୋଇଥିବା ୨୩ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୫ ଜଣ ଥିବାବେଳେ ଅନ୍ୟ ୧୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଖଇରାର ୩ ଜଣ ଓ ଔପଦାରେ ଜଣେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ସହର ଅରଡ଼ବଜାରର ଜନୈକା ୩୮ ବର୍ଷିୟା ମହିଳା ଭୁବନେଶ୍ୱର ଏମ୍ସ ଆଇସୋଲେସନ ସେଣ୍ଟରରେ ରହିଛନ୍ତି। ସେହିପରି ୧୮ ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବସ୍ତାରୁ ୩ଜଣ, ସିମୁଳିଆରୁ ୩ ଜଣ, ସୋରରୁ ୨ ଜଣ, ରେମୁଣା ବ୍ଲକର ହରିପୁର ଅଞ୍ଚଳରୁ ୩ ଜଣ ଅଛନ୍ତି। ଼ସେହିପରି ବାଲେଶ୍ୱର ପୌରାଞ୍ଚଳର ଆଜିମାବାଦ ଅଞ୍ଚଳର ୬୨ ବର୍ଷର ପୁରୁଷ ଓ ମୋତିଗଞ୍ଜ ଅଞ୍ଚଳର ୪୬ ବର୍ଷର ପୁରୁଷ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ଲକ୍ଷଣ ନଥିବା ସଂକ୍ରମିତ ଘରେ ରହି ଚିକିତ୍ସିତ ହେବା ନିମନ୍ତେ ସରକାରଙ୍କ ପକ୍ଷରୁ ନିୟମ କରିଥିଲେ ବି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଲକ୍ଷ୍ୟ ରଖାଯାଇଛି।