Odiapua.com

୮ ବର୍ଷରେ ଚାନ୍ଦବାଲି ଫିଡରରେ ଶକ୍ତି ବିଭାଗ ଖର୍ଚ୍ଚ କଲାଣି ୭୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା, ତଥାପି ସୁଧୁରୁନି ବିଜୁଳି ବ୍ୟବସ୍ଥା

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଦ୍ୟୁତ୍ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ବିଗତ ୮ ବର୍ଷରେ ଚାନ୍ଦବାଲି ଫିଡରରେ ବିଭିନ୍ନ ଯୋଜନାରେ ୮୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଲାଣି । ହେଲେ ତଥାପି ସୁଧୁରି ପାରୁନି ବିଦ୍ୟୁତ ବ୍ୟବସ୍ଥା । ତାର ପ୍ରମୁଖ କାରଣ ହେଲା ୨୦୧୨ ମସିହାରେ ବିପିଏଲ୍ ଶ୍ରେଣୀଭୁକ୍ତ ମାନଙ୍କୁ କେନ୍ଦ୍ର ସରକାର ରାଜୀବ ଗାନ୍ଧୀ ବିଦ୍ୟୁତ୍ କରଣ ଯୋଜନାରେ ନୂଆ ଉପଭୋକ୍ତା ମାନଙ୍କୁ ମନଇଚ୍ଛା ବିଦ୍ୟୁତ୍ ଉପଭୋକ୍ତା ସୃଷ୍ଟି କରାଗଲା । ହେଲେ ମୂଳ ଭିତ୍ତିଭୂମିକୁ ସୁଦୃଢ କରାଗଲା ନାହିଁ । ଚାରିଆଡୁ ସମାଲୋଚନାର ଶୀକାର ହେବା ପରେ ଶକ୍ତି ବିଭାଗ ଭଦ୍ରକରୁ ଚାନ୍ଦବାଲିକୁ ଯାଇଥିବା ୩୩ କେଭିଏ ବିଦ୍ୟୁତ୍ ତାର ଓ ଶଙ୍କ ପରିବର୍ତ୍ତନ ପାଇଁ ବିଭାଗ କେପେସ୍କ ଯୋଜନାରେ ୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବି ପରିସ୍ଥିତିରେ ସୁଧାର ଆସିଲା ନାହିଁ । ଚାନ୍ଦବାଲିରେ ନୂତନ ଗ୍ରୀଡ୍ ପ୍ରତିଷ୍ଠା ଏକ ମାତ୍ର ସମାଧାନ ବୋଲି ଆଲୋଚନା ହେଲା । ଚାନ୍ଦବାଲିର ବର୍ତ୍ତମାନର ବିଧାୟକଙ୍କ ଉଦ୍ୟମ କ୍ରମେ ୪୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୨୦୧୫ ମସିହାରେ ନୂତନ ଗ୍ରୀଡ୍ ପାଇଁ କାର୍ଯ୍ୟ ଆରମ୍ଭ ହୋଇ ୨୦୧୯ ମାର୍ଚ୍ଚ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଇତିମଧ୍ୟରେ ୧୮ ମାସରୁ ଉଦ୍ଦ୍ୱର୍ ହୋଇଗଲାଣି ଏହି ଗ୍ରୀଡ୍ କାର୍ଯ୍ୟକ୍ଷମ ହୋଇଥିଲେ ବି ସଂପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ଉପଭୋକ୍ତା ମାନେ ଏଥିରୁ ସୁବିଧା ପାଇପାରିନାହାଁନ୍ତି । ଏଥିରେ ଥିବା ୩ ଟି ଫିଡର ମଧ୍ୟରୁ ମାତ୍ର ଗୋଟିଏ କାର୍ଯ୍ୟକ୍ଷମ ହେଉଛି । ଯାହାକି ଚାନ୍ଦବାଲି ସହର ଓ ମତୋ ଅଂଚଳର କେତେକ ପଂଚାୟତ ଉପକୃତ ହେଉଛନ୍ତି । ବ୍ଲକ୍‌ର ମାଧପୁର, ଘଟପୁର ଆଦି ପଂଚାୟତର ଅଧିକାଂଶ ଗ୍ରାମ ଏବେ ବି ୨୦ କିଲୋମିଟର ଦୂର ତିହିଡି ବ୍ଲକ୍‌ର ସିନ୍ଦୋଳ ଷ୍ଟ୍ରକଚରରୁ ବିଦ୍ୟୁତ୍ ପାଉଛନ୍ତି । ୨ୟ ଫିଡର କାର୍ଯ୍ୟ ଏବେ ଅଧପନ୍ତରିଆ । ବ୍ଲକ୍‌ର ଯଶିପୁର ୩୩/୧୧ ଷ୍ଟ୍ରକଚରକୁ ଏହା ସଂଯୋଗ କରିବ । ପ୍ରସ୍ତାବିତ ୩ୟ ଫିଡରଟି ବ୍ଲକ୍‌ର ଧାମରାକୁ ସଂଯୋଗ କରିବା କଥା ଯାହାକି ଶକ୍ତି ବିଭାଗର ନାଲି ଫିତା ତଳେ । ଫଳରେ ଧାମରା ଅଂଚଳ ସୁଦୂର ୭୦ କିଲୋମିଟର ଦୂର ସୋରୋ ଗ୍ରୀଡ୍‌ରୁ ବିଦ୍ୟୁତ୍ ପାଉଛି । ଅନ୍ୟ ପକ୍ଷରେ ଲୋ ଭୋଲଟେଜ୍ କୁ ଏଡାଇବାକୁ ଶକ୍ତି ବିଭାଗର ଓଡି-ଏସ୍ ଏସ୍ ପି ତରଫରୁ ଚାନ୍ଦବାଲି ଫିଡରରେ ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୪ଟି ୩୩/୧୧ ଷ୍ଟ୍ରକଚର ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇଥିଲେ ବି ୧୪ ମାସରେ ସାରିବାକୁ ଥିବା ଗଦି ଷ୍ଟ୍ରକଚରକୁ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ତାହା ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଫଳରେ ବ୍ଲକ୍‌ର ମାଧପୁର, ଘଟପୁର, ନାଲଗୁଣ୍ଡା, ଖେରଙ୍ଗ ଆଦି ପଂଚାୟତରେ ଉପଭୋକ୍ତାଙ୍କ କଷ୍ଟ ନ କହିବା ଭଲ । ଗୁରୁତ୍ୱପୂର୍ଣ୍ଣ କଥା ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏହି ସବୁ କାର୍ଯ୍ୟ କରୁଥିବାବେଳେ ବିତରଣ କଂପାନୀ ନେସ୍କୋକୁ ଏହିସବୁ କାର୍ଯ୍ୟରେ ସିଧାସଳଖ ସାମିଲ କରୁନଥିବାରୁ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହେଉଥିବାର ଆଲୋଚନା ହେଉଛି । ଚାନ୍ଦବାଲି ଗ୍ରୀଡ୍‌ର ୨ୟ ଫିଡର ଗଦି ଷ୍ଟ୍ରକଚର ପର୍ଯ୍ୟନ୍ତ ଆସୁନାହିଁ । ଫଳରେ ଏହି ଷ୍ଟ୍ରକଚରଟି ଭଦ୍ରକ ଗଦିରୁ ସଂଯୋଗ ହେବାର ଅଛି । ଯେଉଁଟାକି ତିହିଡି ବ୍ଲକ୍‌ର ନନ୍ଦପୁର ଷ୍ଟ୍ରକଚର ଠାରୁ ଗଦି ଯାଏ ବଜ୍ରପାତ ପ୍ରବଣ ଅଂଚଳ ବୋଲି ଖ୍ୟାତ । ଅଧିକାଂଶ ସମୟରେ ଏହି ୩୩ କେଭିଏ ଲାଇନ୍‌ରେ ଶଙ୍ଖ ଫାଟି ବିଦ୍ୟୁତ୍ ସରବରାହ ବ୍ୟାଘାତ ଘଟେ । ତେଣୁ ଏହି ଗଦି ଷ୍ଟ୍ରକଚର କାର୍ଯ୍ୟକ୍ଷମ ହେଲେ ଖରା ଓ ବର୍ଷାଦିନେ ପରିସ୍ଥିତି ଖରାପ ହେବ ବୋଲି ଆଲୋଚନା ହେଉଛି । ତେଣୁ ଗଦି ଷ୍ଟ୍ରକଚରକୁ ଚାନ୍ଦବାଲି ଗ୍ରୀଡ ସହ ଯୋଡିବାକୁ ଦାବି ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ପୂର୍ବରୁ ଗ୍ରାମ ମାନଙ୍କୁ ଯାଇଥିବା ତାର, ଖୁଣ୍ଟ ସବୁ ପୁରୁଣା ହୋଇଯାଇଥିବାରୁ ସେଗୁଡିକ ଯୋଗୁଁ ବିଦ୍ୟୁତ୍ ବ୍ୟାଘାତ ଘଟୁଛି । ବିପଦ ଜନକ ସ୍ଥିତିରେ କେଉଁଠି ହାତ ପାହାନ୍ତାରେ ତାର ସବୁ ଓହଳି ଧନ, ଜୀବନ ନଷ୍ଟ କରୁଛି । ତେଣୁ ସେସବୁର ପରିବର୍ତ୍ତନ ନହେଲେ ଯଥା ପୂର୍ବମ ତଥା ପରମ ସ୍ଥିତି ରହିବ । ଏଣୁ ଉନ୍ନତ ବିଦ୍ୟୁତ୍ ସେବା ଆଉ କେତେଦିନ ପରେ ଲୋକେ ପାଇବେ, ତାହାହ ଉପରେ ସମସ୍ତଙ୍କ ନଜର ।