ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନସ୍ଥ ସୋଧ ରାଜସ୍ୱ ସର୍କଲର ମାନଲାପୁର ମୌଜାରେ ବୈତରଣୀ ନଦୀଗର୍ଭର ପ୍ଲଟ୍ ନଂ ୩୨୩ ରୁ ବେଆଇନ୍ ଭାବେ ବାଲି ଉଠାଯାଇଛି । ଦୀର୍ଘ ଏକମାସ ଧରି ସତସଙ୍ଗ ବିହାରର ପଶ୍ଚିମପଟ ବରଗଛ ମୂଳେ ନଦୀବନ୍ଧରେ ବିରାଟ ଗାଢ କରାଯାଇ ଏହି ବାଲି ଲୁଟ୍ ହୋଇଚାଲିଛି । ଯାହା ଜଣାଯାଏ ନଦୀବନ୍ଧର ଉତ୍ତରପଟେ ୩୦ ମିଟର ଓ ଦକ୍ଷିଣ ପଟେ ନଦୀଗର୍ଭ ଯାଏ ୧୦୦ ମିଟର ଲମ୍ବର ଗାଢ କରାଯାଇଛି । ପ୍ରତ୍ୟେକଦିନ ୨୪୦ ରୁ ଅଧିକ ଟ୍ରପି୍ ବାଲି ଟ୍ରାକ୍ଟର ଓ ମିନି ଟ୍ରକ୍ ଦ୍ୱାରା ଉଠାଯାଇ ଦୋବଲ ଓ ଧାମନଗର ଅଂଚଳକୁ ପଠାଯାଉଛି । ଏଠାରେ ସୂଚନାଯୋଗ୍ୟ ଆନନ୍ଦପୁର ବାଲିଘାଟର ୫ ବର୍ଷିୟା ଲିଜ୍ ଅବଧି ସରିଯାଇଥିବାରୁ ଏବେ ମାନଲାପୁର ପାଖରେ ନଦୀରୁ ଏହି ବାଲି ଉଠାଚାଲିଛି । ଜିଲା ସର୍ଭେ ରିପୋର୍ଟ ୨୦୨୦ ଅନୁସାରେ ଏହି ଜିଲାର ଧାମନଗର ତହସିଲ ପକ୍ଷରୁ ଆନନ୍ଦପୁର ପଂଚାୟତରେ ୩ଟି ସୈରାତ ଉତ୍ସରୁ ବାଲି ଉଠାଇବା ଲାଗି ନିଲାମ କରାଯାଇଛି । ପ୍ରଥମଟି ଆନନ୍ଦପୁର ବାଲିଘାଟ (ସୋଧ ରାଜସ୍ୱ ମଣ୍ଡଳର ଆନନ୍ଦପୁର ମୌଜା ଖାତା ନଂ ୫୯୭, ପ୍ଲଟ୍ ନଂ ୬୭୮ ର ୨୩ ଏକର ୨୫ ଡି), ଦ୍ୱିତୀୟଟି ଉତେଇପୁର ବାଲିଘାଟ (ସୋଧ ରାଜସ୍ୱ ସର୍କଲର ଉତେଇପୁର ମୌଜା ଖାତା ନଂ ୪୭୯, ପ୍ଲଟ୍ ନଂ ୧ ର ୭ ଏକର ୨୦ ଡି) ଏବଂ ପ୍ଲଟ୍ ୨୦୦୮ ର ୫ ଏକର ୨୫ ଡି. ଓ ତୃତୀୟଟି ହେଲା ଉତ୍ତେଇପୁର ବାଲିଘାଟ-୨ (ସୋଧ ରାଜସ୍ୱ ସର୍କଲର ଉତ୍ତେଇପୁର ମୌଜା ଖାତା ନଂ ୪୭୯, ପ୍ଲଟ୍ ନଂ ୨୦୮ ର ୧୨.୨ ଏକର) । ଏହାପରେ କୌଣସି ସ୍ଥାନରୁ ବାଲି ନିଲାମ ହୋଇନାହିଁ । ଏତଦ୍ବ୍ୟତୀତ ମାନଲାପୁରରେ ବୈତରଣୀର ଭୌଗୋଳିକ ସ୍ଥିତି ଯାହା ସେଠାରୁ ବାଲି ଉଠାଯାଇପାରିବ ନାହିଁ । କାରଣ ଏଠାରେ ବୈତରଣୀ ଦୁଇଭାଗ ହୋଇଛି । ନଦୀ ମଝିରେ ବିରାଟ କୁଦ ରହିଛି । ଏହି କୁଦର ଉତ୍ତର ପଟେ ବୈତରଣୀ ବର୍ଷକୁ ବର୍ଷ କୂଳ ଲଙ୍ଘୁଛି ।
ଯାହାର ପ୍ରଭାବରେ ମାନଲାପୁର ପଟେ ଥିବା ଦାସସାହି, କଚେରୀ ବାଡି, ଆଦିଆ ବାରିକ ଛନ୍ଦା, ଉତ୍ତେଇପୁର ସ୍କୁଲ ଓ ବେହେରାସାହି ପାଖରେ ନଦୀପଠା ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଫଳରେ ଏହି ସବୁ ସ୍ଥାନରେ ନଦୀ ଆସି ବନ୍ଧକୁ ଛୁଇଁଛି । ଏଣୁ ଏ ସ୍ଥାନରେ ଗାଢ କରି ବାଲି ଉଠାଇବା ଆସନ୍ନ ବିପଦକୁ ଟାଣିଆଣି ମାନଲାପୁର ବାସୀଙ୍କୁ ମରଣ ମୁହଁକୁ ଠେଲିଦେବା ସହ ସମାନ । କେବଳ ଏତିକି ନୁହେଁ ୧୯୯୮ ରୁ ଆନନ୍ଦପୁର ପଣମାହାରା ଘାଟରୁ ଅନବରତ ବାଲି ଉଠୁଥିବାରୁ ନଦୀଗର୍ଭରେ ଆଉ ବାଲି ନାହିଁ । ପାଣି ତଳେ କେବଳ ପଙ୍କ ରହିଛି । ନଦୀଶଯ୍ୟାରେ ବାଲି ରହୁନଥିବାରୁ ଆନନ୍ଦପୁର ଦକ୍ଷିଣ କୋରୁଆ ଯାଏ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ୮୦ ଫୁଟ୍ ଗଭୀର ନଳକୂପରୁ ଜଳ ବାହାରୁଥିବାବେଳେ ଏବେ ୧୮୦ ଫୁଟ୍ ଗଭୀରର ନଳକୂପରେ ପାଣିନାହିଁ । ଏସବୁ ସତ୍ୱେ ଜନୈକ ବ୍ୟକ୍ତି ମାନଲାପୁର ମୌଜାର ପ୍ଲଟ୍ ନଂ ୩୧୯ ଓ ୩୨୦ ରେ ଥିବା ସତସଙ୍ଗ ବିହାର ପାଶ୍ୱର୍ ଦେଇ ବୈତରଣୀରେ ବାଲି ଉଠାଉଛନ୍ତି । ଏଥିଲାଗି ସେ ଦୁଇବର୍ଷ ତଳେ ନିର୍ମାଣ ହୋଇଥିବା ବୈତରଣୀ ନଦୀବନ୍ଧରେ ଗାଢ ତିଆରି କରିଛନ୍ତି । ୨୦୧୬-୧୭ ଆର୍ଥିକ ବର୍ଷରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ବନ୍ଧ ଦୁଇବର୍ଷ ତଳେ ସଂପୂର୍ଣ୍ଣ ହୋଇଥିଲା । ଏବେ ଏହାକୁ ନଷ୍ଟ କରି ବାଲି ଲୁଟ୍ ହେଉଥିବାବେଳେ ଜଳସେଚନ ବିଭାଗ ଯନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଧାମନଗର ତହସିଲଦାର, ଜିଲାପାଳ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଖଣି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ ଯୋଗେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହି ଘଟଣାରେ ରାଜ୍ୟ ସରକାର ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବାବେଳେ ଧାମନଗର ତହସିଲଦାର ଓ ସୋଧ ରାଜସ୍ୱ ନିରୀକ୍ଷକ ଲୁଟ୍କାରୀଙ୍କ ସହ ମଧୁଚନ୍ଦ୍ରିକା ରଖି ଏଭଳି କାର୍ଯ୍ୟ କରୁଥିବା ବିଷୟ ସାଧାରଣରେ ଅଭିଯୋଗ ହୋଇଛି ।