Odiapua.com

୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଭଦ୍ରକରେ ପାଳିତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର ଖେଳ ପଡିଆଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ସମବେତ ଜନତାଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଭଦ୍ରକ ଜିଲ୍ଲାର ବଳିଷ୍ଠ ଭୂମିକା ଇତିହାସର ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ମହାରଥୀ ଡ଼ ହରେକୃଷ୍ଣ ମହତାବ,ନୀଳମଣି ରାଉତରାୟ,ବାଞ୍ଛାନିଧି ମହାନ୍ତି , କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ସାରସ୍ୱତ ସିଦ୍ଧି ଓ ସାଧନାର ତପୋବନ ଭଦ୍ରକ ଜିଲ୍ଲା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା । ଇରମ ଗୁଳିକାଣ୍ଡ, ଭଣ୍ଡାରିପୋଖରୀ ଥାନା ପୋଡି ,ଲୁଣିଆ ଗଣହତ୍ୟା ଇତିହାସ ପୃଷ୍ଠାରେ କିମ୍ବଦନ୍ତୀ ଭଳି ଆଜି ବି ବିଦ୍ୟମାନ । ଇତିହାସ ଇରମ ଗୁଳିକାଣ୍ଡ କୁ ଦ୍ୱିତୀୟ ଜାଲିଆନୱାଲା ବାଗ ହତ୍ୟାକାଣ୍ଡର ଆଖ୍ୟା ପ୍ରଦାନ କରି ଭଦ୍ରକ ମାଟିକୁ ମହିମା ମଣ୍ଡିତ କରିଛି । ଆଜି ମଧ୍ୟ ଭଦ୍ରକର ଗାନ୍ଧୀ ବାଳାଶ୍ରମ ଓ ମହତାବ କୋଠି ସ୍ୱାଧୀନତା ସଂଗ୍ରାମ ଇତିହାସର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ।ଏପରି ପ୍ରଭାବଶାଳୀ ତଥା ଗୌରବ ମଣ୍ଡିତ ଭଦ୍ରକ ଜିଲ୍ଲା ମାଟିକୁ ପ୍ରଣାମ ଜଣାଇ ଏହାର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେକରିଥିଲେ । ହିଂସା, ଦ୍ୱେଷ , ସାମ୍ପ୍ରଦୟିକ ସଦାଭାବ ଠାରୁ ଦୂରେଇ ,ଦେଶ ପ୍ରେମର ଧାରାରେ ଆଗେଇ ,ଦେଶର ପ୍ରଗତି ଓ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ,ଦେଶକୁ ସମୃଦ୍ଧି ଓ ବିକଶିତ କରିବାର ଅଛି ବୋଲି ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଏହି ଦିବସରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟଙ୍କ ସହ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଉପସ୍ଥିତ ରହିଥିଲେ । ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ସମୁଦାୟ ୪୩ଟି କଂଟିଜେଂଟ ଓ ୪ଟି ସାଂସ୍କୃତିକ ଦଳ ଓ ଗୋଟିଏ ଟାଇକୋଣ୍ଡ ସୋ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଦିନ ପ୍ରତ୍ୟୁଷ ୫ ଘଟିକାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡ଼ାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପରିକ୍ରମା କରାଯାଇଥିଲା । ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଫଳ ବଂଟନ କରାଯାଇଥିଲା । ଚାରୁ ଓ କାରୁକଳା ମହାବିଦ୍ୟାଳୟ ଦ୍ୱାରା ସଂସ୍କୃତି ଭବନଠାରେ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଡଗମୁଣ୍ଡସ୍ଥିତ କୁଷ୍ଠ କଲୋନୀ ଅନ୍ତେବାସୀଙ୍କୁ ସାଳନ୍ଦୀ ହସ୍ପିଟାଲ ପରିସରରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିଦ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ,ମୁଖ୍ୟ ବକ୍ତା ଅଭୟ ସୁତାର ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା , ଡ଼ା ପ୍ରଭାସ ମହାନ୍ତି, ରୋଟାରୀ କ୍ଲବ ମିଡ ଟାଉନ ସଦସ୍ୟ ଅତିସ ବେହେରା ଉପସ୍ଥିତ ରହି ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ସଂଯୋଜନା କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମକର୍ତା ମିନାକ୍ଷୀ ଗରାବଡୁ, ଲିସା ରାଉତ,ପ୍ରଫୁଲ୍ଲ ଦାସ ଓ ମାନସ ସହଯୋଗ କରିଥିଲେ ।