Odiapua.com

୮ଦଫା ଦାବି ନେଇ ବିକ୍ଷୋଭ କଲା ଅଙ୍ଗନୱାଡି ସଂଘ

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ ଭଦ୍ରକ ଶାଖା ପକ୍ଷରୁ ୮ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଙ୍ଗନୱାଡି ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ଜେନା ସମ୍ପାଦିକା ଅନ୍ନପୂର୍ଣ୍ଣା ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନୱାଡି କର୍ମୀ ସ୍ଥାନୀୟ ବାଲ୍‌ଗୋପାଲ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଫାଟକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଙ୍ଗନୱାଡି କର୍ମଚାରୀମାନେ ୮ ଦଫା ଦାବି ନେଇ ଗତ ୨୦୨୨ ମସିହା ନଭେମ୍ବର ୨୧ ତାରିଖରୁ ୨୦୨୩ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଆନ୍ଦୋଳନ ଜାରି ରଖିଥିଲେ। ସେତେବେଳେ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥିଲା। ସରକାର ଅଙ୍ଗନୱାଡି କର୍ମୀଙ୍କ ଆଲୋଚନା କରି ଦାବି ପୂରଣ କରିବେ ବୋଲି ଦେଇଥିବା ପ୍ରତିଶୃତି ଆଜି ଯାଏ ପୂରଣ କରି ନ ଥିବାରୁ ଅଙ୍ଗନୱାଡି କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ଗୁଡ଼ିକ ମଧ୍ୟରେ ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ଅଙ୍ଗନୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ଯେତେ ଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆ ଯାଇନାହିଁ କର୍ମୀଙ୍କକୁ ମାସିକ ୧୮ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ଇପିଏଫ୍‌, ଇଏସ୍‌ଆଇ, ଗ୍ରାଚୁଇଟି ଆଦି ପ୍ରଦାନ କରିବା, ମିନି ଅଙ୍ଗନୱାଡି ଉଚ୍ଛେଦ କରି ମିନି ଅଙ୍ଗନୱାଡିକୁ ମୁଖ୍ୟ ଅଙ୍ଗନୱାଡିର ମାନ୍ୟତା ପ୍ରଦାନ କରାଯିବା, ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଏବଂ ମାସିକ ୫ ହଜାର ପେନ୍‌ସନ ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରି ପ୍ରଦାନ କରିବା, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ମୃତ୍ୟୁ କାଳୀନ ସହାୟତ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡିକୁ ବାଦ୍ ଦେବା ଭଳି ଦାବି ଗୁଡ଼ିକ ଉପସ୍ଥାପନ କରାଯାଇଥିଲା। ଏହି ବିକ୍ଷୋଭରେ ଭାରତୀୟ ମଜଦୁର ସଂଘର ମଧୁସୂଦନ ପତି, ଅଙ୍ଗନୱାଡି ସଂଘର ମାଧବୀଲତା ନାୟକ, ପ୍ରପତୀ ପାଣିଗ୍ରାହୀ, କମଳିନୀ ମଲ୍ଲିକ, ସଫିକା ଶେରାୱତ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।