କେନ୍ଦ୍ରାପଡ଼ା, ୧୦ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୭ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି ତାଙ୍କ ଜୋନ ଅନ୍ତର୍ଗତ ଗ୍ରାମଗୁଡିକର ସର୍ବାଙ୍ଗ ଉନ୍ନତି ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ତାହା ହେଉଛି ‘ଆମ ଗାଁ ଆମେ ଗଢିବା’। ଏ ନେଇ ସେ ଓ କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି ଗାଁକୁ ଗାଁ ବୁଲି ଲୋକମାନଙ୍କ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଲୋକମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି କି ନାହିଁ। ଯଦି ସେଥିରୁ ବାଦ ପଡିଛନ୍ତି ତାହେଲେ ସଙ୍ଗେ ସଙ୍ଗେ ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯାଉଛି। ସେହିଠାରେ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି। ଠିକ ସେହିପରି କେଉଁ ଗାଁରେ ପାନୀୟ ଜଳ ସମସ୍ୟା ରହିଛି କି, ମହିଳା ସଶକ୍ତିକରଣ ଯୋଜନାରୁ କେହି ବାଦ ପଢିଛନ୍ତି କି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁସ୍ମାନ ଭାରତ ଯୋଜନାର କାର୍ଡ ପ୍ରକୃତ ହିତାଧିକାରୀଙ୍କ ପାଖରେ ଅଛି କି ନାହିଁ କୃଷି ଓ ପଶୁ ପାଳନ ଯୋଜନାରେ ପ୍ରକୃତ ହିତାଧିକାରୀ ସାମିଲ ହୋଇଛନ୍ତି କି ନାହିଁ, ଗ୍ରାମାଞ୍ଚଳର ପିଲାମାନେ ଗୁଣାତ୍ମକ ଶିକ୍ଷା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ଲୋକଙ୍କ ଠାରୁ ଉଭୟ ପଚାରି ବୁଝୁଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ପରେ ତାହାକୁ ବିଭାଗୀୟ ଅଧକାରୀଙ୍କ ନିକଟରେ ପହଞ୍ଚାଇ ସେହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଫଳରେ ବିଭାଗୀୟ ଅଧିକାରୀ ପ୍ରକୃତ ତଥ୍ୟ ପାଇ ପାରୁଛନ୍ତି। ଏହି କାର୍ଯ୍ୟ ରଥଯାତ୍ରା ଦିନ ଆରମ୍ଭ ହୋଇଛି। ଏହି ଜୋନ ଅଧିନରେ ଥିବା ବାରୋ, ଗାଙ୍ଗପଡ଼ା, ପଳସିଂହା, ସାନମାଣତିଆ, ଚନ୍ଦନପୁର ଓ କେଶପୁର ଗ୍ରାମଞ୍ଚାୟତରେ ଥିବା ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ୱାର୍ଡରେ ଏଭଳି କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି ସୂଚନା ଦେଇଛନ୍ତି।