Odiapua.com

୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବ ହୋଲସେଲ ମାର୍କେଟ

କେନ୍ଦ୍ରାପଡ଼ା, ୨୧ା୪ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜମଧର ଗ୍ରାମପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପରିସରରେ ନିର୍ମାଣ ହେବ ହୋଲସେଲ ବଜାର। ଏଥିପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି। ଏହି ଅର୍ଥ ନିୟନ୍ତ୍ରିତ ବଜାର କମିଟି ତା’ର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିବ। ପରେ କେନ୍ଦ୍ର ସରକାର ଏହି ଅର୍ଥ ବହନ କରିବେ। ଏଥିପାଇଁ ୩୨ଟି ଗୋଦାମ ଗୃହ ନିର୍ମାଣ ହେବ। ଏହି ଗୋଦାମ ଗୃହରେ ଚାଷୀମାନେ ଅମଳ କରୁଥିବା ପନି ପରିବା ଓ ସାମଗ୍ରୀ ମହଜୁଦ ହୋଇ ରହିବ ବୋଲି କହିଛନ୍ତି ନିୟନ୍ତ୍ରିତ ବଜାର କମିଟିର ନିର୍ବାହୀ ଅଧିକାରୀ ଅଜୟ କୁମାର ରାଉତ। ସେ କହିଛନ୍ତି ଚାଷୀମାନଙ୍କ ସୁବିଧା ପାଇଁ ଏହା କରାଯାଉଛି। ସେହିପରି ଏହା ପରିସରରେ ୩ କୋଟି ଟଙ୍କା ବ୍ୟୟରେ ଏକ ଦୈନନ୍ଦିନ ବଜାର ମଧ୍ୟ ନିର୍ମାଣ କରାଯିବ। ସେଥିପାଇଁ ୮୦ଟି ଦୋକାନ ଗୃହ ନିର୍ମାଣ ହେବ। ଏହା ପରିସରରେ ଚାଷୀମାନେ ବିଭିନ୍ନ ପ୍ରକାର ଜିନିଷ ବିକ୍ରି କରିପାରିବେ। ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଜାତୀୟ କୃଷି ବଜାର ଯୋଜନାରେ ୨ କୋଟି ଟଙ୍କା ବ୍ୟୟରେ ସୁନ୍ଦର ରାସ୍ତା ନିର୍ମାଣ ହେବାର ପ୍ରସ୍ଥାବ ରହିଛି। ଯାହା ଫଳରେ ଗାଡି ମଟର ଚାଷୀଙ୍କ ଜିନିଷ ନେଇ ଯିବା ଆସିବା କରିପାରିବ। ଏଥିସହ ଗ୍ରାହକମାନେ ମଧ୍ୟ ଗାଡିମଟର ନେଇ ଯିବା ଆସିବା କରିବା ସୁବିଧା ହେବ। ୧୯୭୯ ମସିହାରେ ଏହି ନିୟନ୍ତ୍ରିତ ବଜାର କମିଟି ଗଠନ କରାଯାଇଥିଲା। ଏଥିପାଇଁ ୧୯୮୪ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏହା ସହର ଠାରୁ ଦୂରରେ ହୋଇଥିବାରୁ ଲୋକମାନେ ଏହା ପରିସରକୁ ପନି ପରିବା ସମେତ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଆସିବାକୁ ସମସ୍ୟାରେ ପଡୁଛନ୍ତି। ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହିପରି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ରାଉତ କହିଛନ୍ତି।