Odiapua.com

୭୮ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ, ସ୍ୱାଧୀନତା ପାଇବା ଆମ ପାଇଁ ସହଜ ନଥିଲା , କଂଟକିତ ଥିଲା ସଂଗ୍ରାମ ପଥ – ମୁଖ୍ୟ ଅତିଥି

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ୭୮ତମ ସ୍ୱାଧୀନତା ଦିବସ-୨୦୨୪କୁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରରେ ସଦର ମହକୁମାସ୍ଥ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦୀଲ୍ଲିପ୍ ରାଉତରାଏ ପତାକା ମଂଚରେ ପହଂଚି ପୂର୍ବାହ୍ନ ଠିକ୍ ୯ଘ-୧୫ମିନିଟ୍ ସମୟରେ ପତାକା ଉତୋଳନ କରି ପତାକାକୁ ସାଲ୍ୟୁଟ୍ କରିଥିଲେ । ସୁସଜ୍ଜିତ ଖୋଲା ଗାଡ଼ିରେ ପ୍ୟାରେଡ଼୍‌ରେ ଅଂଶ ଗ୍ରହଣ କରିଥିବା ୩୭ଗୋଟି ଦଳକୁ ପରିଦର୍ଶନ କରିଥିଲେ । ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବାକୁ ଯାଇ ଅତ୍ୟାଚାରୀ ଇଂରେଜ୍ କବଳରୁ ସ୍ୱାଧୀନ ଭାରତ ହାସଲ ପାଇଁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ସଂଘର୍ଷମୟ କାହାଣୀର ଅବତାରଣା ଆଧାରରେ ଆମକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା ଆମର ପୂର୍ବସୂରୀ ମହୀମନିଷୀମାନଙ୍କ ଅନନ୍ୟ ଅବଦାନର ସ୍ମୃତି ଚାରଣ କରିଥିଲେ । ସଂଗ୍ରାମ ଓ ବଳିଦାନର ମାଟି ଭଦ୍ରକରେ ଘଟି ଯାଇଥିବା ଦ୍ୱିତୀୟ ଜାଲିଆନାବାଗ୍ ଭାବେ ଅଭିହିତ ଶହୀଦତୀର୍ଥ ଇରମ୍ ଓ ଲୁଣିଆ ଗୁଳିକାଣ୍ଡରେ ଅମର ଶହୀଦ୍‌ମାନଙ୍କ ତ୍ୟାଗ ତିତିକ୍ଷା ଉପରେ ଆଲୋକପାତ କରିଥିଲେ । କଳା, ସାହିତ୍ୟ, ସଂସ୍କୃତି ସମୃଦ୍ଧ ଏ ମାଟିର ତଥା ଆମ ରାଜ୍ୟର ଅସ୍ମିତା ଆଧାରରେ କାର୍ଯ୍ୟକରି ଆମ ଜିଲ୍ଲା ତଥା ରାଜ୍ୟକୁ ସର୍ବୋତମ ଭାବେ ଗଢ଼ି ତୋଳିବା ପାଇଁ ଏକ ନୂତନ ଦିଶା ଦେବାରେ ଜନସାଧାରଣଙ୍କ ସହଯୋଗିତା ସହଭାଗିତାର କାମନା କରିଥିଲେ । ଭଦ୍ରକ ଏସ୍‌.ପି. ବରୁଣ ଗୁଂଟୁପାଲ୍ଲି ମୁଖ୍ୟ ଅତିଥିଙ୍କ ସହ ପତାକା ମଂଚରେ ଉପସ୍ଥିତ ଥିଲେ । ପୋଲିସ୍ ଆର.ଆଇ. ରାକେଶ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସର୍ଜେଂଟ ଅଭିରାମ ଖଟୁଆଙ୍କ ସହଯୋଗରେ ସଶସ୍ତ୍ର ପୋଲିସ୍ ବାହିନୀ ସହ ଏନ୍‌.ସି.ସି. ଆର୍ମି, ନେଭି, ସ୍କାଉଟ୍‌, ଗାଇଡ଼୍‌, ରେଡ଼କ୍ରସ୍‌, ସିଭିଲିୟାନ୍ ଆଦିରେ ସିନିୟର ଓ ଜୁନିୟର ବିଭାଗରେ ଭାଗ ନେଇଥିବା ସମସ୍ତ ପ୍ୟାରେଡ଼ ଟ୍ରୁପ୍‌ଙ୍କ ମାର୍ଚ୍ଚ ପାଷ୍ଟରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ ।

ଉପଜିଲ୍ଲାପାଳ ମନୋଜ ପାତ୍ର, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଅବସରପ୍ରାପ୍ତ ଅତିରିକ୍ତ ଏସ୍‌.ପି. ଭିଜିଲାନସ୍ ଗଣେଶ୍ୱର ସେଠୀ ପ୍ୟାରେଡ଼୍ ପ୍ରତିଯୋଗିତା ପାଇଁ ମୂଲ୍ୟାଙ୍କନ କରିଥିଲେ । ପଦକ ବିଜେତା, ଆନ୍ତର୍ଜାତୀକ ପାରା କ୍ରୀଡ଼ାବିତ୍ ରାଖାଲ କୁମାର ସେଠୀ, ଜାତୀୟସ୍ତରର ପଦକ ବିଜେତା ହ୍ୱିଲ୍‌ଚେୟାରରେ ଅସୀଚାଳନା କ୍ରୀଡ଼ାବିତ୍ ମଧୁସ୍ମିତା ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଉତ୍ସର୍ଗୀକୃତ ସେବା ପାଇଁ ପୋଲିସ କମ୍ପାନୀ କମାଣ୍ଡର ବରୁଣ ମିତ୍ରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସାଲ୍‌, ଟ୍ରଫି, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କୃତୀ ଦଳମାନଙ୍କୁ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଯୋଗ ଦେଇଥିଲେ । ଭରପୁର ଦର୍ଶକ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଚିତାକର୍ଷକ ଥିଲା । ବିଶେଷ କରି ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଆମ ଦେଶ, ରାଜ୍ୟ ଓ ଜିଲ୍ଲାର ୩୦ରୁ ଉର୍ଦ୍ଧ୍ୱ ମହାପୁରୁଷମାନଙ୍କ ଫଟୋ ଓ ତାଙ୍କ ବାଣୀରେ ସାଜସଜ୍ଜା ସାଙ୍ଗକୁ ତ୍ରିରଙ୍ଗା ସେଲଫି ଓ ତ୍ରିରଙ୍ଗା କାନ୍‌ଭାସ୍ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା ।

ପରେ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ କରି ଭଦ୍ରକ ବସ୍ ସିଣ୍ଡିକେଟ୍ ଓ ଜିଲ୍ଲାସ୍କୁଲ ଦ୍ୱାରା ପ୍ରଦତ ଫଳ ରୋଗୀମାନଙ୍କୁ ବଂଟନ କରିଥିଲେ । ଦିନ ସମୟର ଅନ୍ତିମ କାର୍ଯ୍ୟକ୍ରମ ସଂସ୍କୃତି ଭବନରେ ଭଦ୍ରକ ଆର୍ଟ କଲେଜର ଅଧ୍ୟକ୍ଷ ମନୋଜ ଭଟ୍ଟଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟନ କରି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧନା ଓ ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର ବିଶିଷ୍ଟ କଳାପ୍ରତିଭା ମାନଙ୍କୁ ପ୍ରଦାନ କରିଥିଲେ । ସନ୍ଧ୍ୟାରେ ଟାଉନ୍‌ହଲ୍ ଠାରେ ତ୍ରିରଙ୍ଗା କନ୍‌ସର୍ଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ୍‌, ଅତିରିକ୍ତ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ବରେଣ୍ୟ ଅତିଥିଭାବେ ଯୋଗଦାନ କରି ଦିବସ ପାଳନର ମହତ୍ୱ, ଦେଶାତ୍ମବୋଧ ଓ ଭଦ୍ରକ ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମର ଲୋମହର୍ଷକ ଅଧ୍ୟାୟ ଉପରେ ଆଲୋକ ପାତ କରିଥିଲେ । ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ରୋଟାରୀ ବ୍ଲବ, ସାଳନ୍ଦୀ ନର୍ସିଂ ସ୍କୁଲ ସାଳନ୍ଦୀ ହସ୍‌ପିଟାଲ୍ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପୁରସ୍କାର ବିତରଣ କରାଯାଇଥିଲା । ଏସ୍‌.ବି.ଡ଼ି. ସ୍କୁଲ, ଡ଼ି.ଏ.ଭି.ଏସ୍‌.ଡ଼ି.ପି.ଏସ୍ ସ୍କୁଲ, ଭଦ୍ରକ ଉଚ୍ଚ ବିଦ୍ୟାଳୟ ଓ ମନ୍ଦିରା ଏକାଡ଼େମୀ ଦ୍ୱାରା ରଙ୍ଗାରଙ୍ଗ ଦେଶାତ୍ମବୋଧ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ୍ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ଉଦ୍‌ଘାଟନୀ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ଦିନ ଓ ସନ୍ଧ୍ୟାର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସଂଯୋଜନା ଓ ପରିଚାଳନା କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଭଦ୍ରକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମନୋଜ ସାହୁ, ରୋଟାରିଆନ୍‌, ସମ୍ବାଦିକ ଅତିସ୍ କୁମାର ବେହେରା ପ୍ରମୁଖ ଆନୁସଂଗିକ ସହଯୋଗ କରିଥିଲେ ।