Odiapua.com

୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୭୫ତମ ସାଧାରଣତନ୍ତ୍ର ଦିବସ – ୨୦୨୪କୁ ଭଦ୍ରକ ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକ୍ରମର ଆବାହକ ତଥା ସଂଯୋଜକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ଗତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ବିବରଣୀ ଉପସ୍ଥାପନ ଆଧାରରେ ଆଲୋଚନା କରାଯାଇ ବିଭିନ୍ନ ଦିଗରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାପରିଷଦ, ଭଦ୍ରକର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜାନୁୟାରୀ ୧୮ ରୁ ୨୦୯ ମଧ୍ୟରେ ଇଂରାଜୀ, ଓଡ଼ିଆ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ, ପ୍ରବନ୍ଧ, ଚିତ୍ରାଙ୍କନ, କ୍ୱିଜ୍ ଆଦି ପ୍ରତିଯୋଗିତା ଆୟୋଜନ ନେଇ ସିଦ୍ଧାନ୍ତ ନିଆଯାଇଛି । ସେହିପରି ପ୍ୟାରେଡ଼ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ପୂର୍ବରୁ ପ୍ରତିଯୋଗିତା ଆୟୋଜନ ଜରିଆରେ ସର୍ବାଧିକ ୩ଟି ସାଂସ୍କୃତିକ ଦଳ ଚୟନ କରାଯିବ । ଉତ୍ସବ ପାଳନ ଦିନ ପ୍ରାତଃ କାଳରୁ ରାମଧୂନ ପରିକ୍ରମା କରାଯିବ । ଭଦ୍ରକ ସହର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ବର୍ଣ୍ଣାଢ୍ୟ ପରିବେଶରେ ପାଳନ କରାଯିବ । ସକାଳ ଘ ୮.୩୦ମିରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ପ୍ୟାରେଡ଼ କାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉତ୍ସବ ପାଳନ ଦିନ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ, ଜିଲ୍ଲା ସଂସ୍କୃତି ଭବନରେ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବା ନେଇ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ, ଅଧ୍ୟକ୍ଷ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ବୈଠକରେ ଯୋଗ ଦେଇ ଆଲୋଚନାରେ ମତାମତ ପ୍ରଦାନ କରିଥିଲେ ।