Odiapua.com

୭୫ତମ ବର୍ଷ ପଦାର୍ପଣ ଉପଲକ୍ଷେ ଭଦ୍ରକ କଲେଜ ଆଲୁମିନାୟୀ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଜୁଲାଇ ୬ ତାରିଖ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏହି ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ଭଦ୍ରକ କଲେଜର ପୁରାତନ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ନେଇ କଲେଜ ପରିସରରେ କଲେଜ ଆଲୁମନି ଆସୋସିଏସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ସଞ୍ଚାଳନରେ ଉପସ୍ଥିତ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କ ମତାମତ ନିଆଯାଇଥିଲା। ଏହି କ୍ରମରେ ଆସନ୍ତା ମାସ ୩ ତାରିଖ ସକାଳ ୭ଟାରେ ଏକ ଗଣଦୌଡ଼ର ଆୟୋଜନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ୬ ତାରିଖ ପ୍ରତିଷ୍ଠା ଦିବସ ଦିନ ସକାଳୁ କଲେଜ ପରିସର ସଫେଇ, ବୃକ୍ଷରୋପଣ, ରକ୍ତଦାନ, ପୂଜ୍ୟପୂଜାଙ୍କୁ ସମ୍ମାନିତ ଏବଂ ଅପରାହ୍ଣରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିଦିନ ସମସ୍ତ ପୁରାତନ ଛାତ୍ରଛାତ୍ରୀ ନିଜନିଜର କଲେଜ ଜୀବନର ଅନୁଭୂତିକୁ ବଖାଣିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ପାଇଁ ସ୍ଥିର ହୋଇଛି। ଉକ୍ତ ପ୍ରସ୍ତୁତି ବୈଠକରେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବି, ପୁରାତନ ଛାତ୍ର ଲଲାଟେନ୍ଦୁ ମହାନ୍ତି, ଗିରିଧାରୀ ନାଥ, ଅଗଣି ଚରଣ ଜେନା, ଅରୁଣ ଚାନ୍ଦ, ଅମ୍ବିକା ଦାସ, କଳ୍ପତରୁ ଜେନା, ଅୟୁବ ଖାଁ, ତଥାଗତ ସାମଲ, ପ୍ରକାଶ ଜ୍ୟୋତି ମହାକୁଡ଼, ସ୍ୱରୂପାନନ୍ଦ ମହାପାତ୍ର, ସ୍ୱାଧୀନ ସୁନ୍ଦର ଦାସ, ଅଶୋକ ପଲେଇ, ଅପୂର୍ବ ବେହେରା, ରଣଜିତ ମହାପାତ୍ର, ଗୋପବନ୍ଧୁ ବାରିକ ପ୍ରମୁଖ ମତାମତ ରଖିଥିଲେ। ଉକ୍ତ ପ୍ରସ୍ତୁତି ବୈଠକକୁ ପରିଚାଳନରେ ଲିଟୁ ମହାନ୍ତି, ଡିଜେ ଦିପ୍ତିମାନ ଯେନା, ମୁକେଶ ବାରିକ, ଦେବବ୍ରତ ଦାସ ସହଯୋଗ କରିଥିଲେ। ଶେଷରେ ଅକ୍ଷୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।