Odiapua.com

୭ହଜାର ଟଙ୍କା ଲାଂଚନେବା ମହଙ୍ଗା ପଡିଲା , ଭିଜିଲାନ୍ସ ହାତରେ ଧରାପଡିଲେ କଇଥଖୋଲା ଆର ଆଇ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିର ନାମଜାରୀ ପାଇଁ ବାରମ୍ବାର ଆର ଆଇଙ୍କ ଦ୍ୱାରସ୍ଥ ହେବା ପରେ ଶେଷରେ ୭ହଜାର ଟଙ୍କାରେ ଫଇସଲା ହୋଇଥିଲା । ଟଙ୍କା ଦେଲେ ନାମଜାରୀ ହେବ ବୋଲି ଆର ଆଇ ରୋକଠୋକ କହିଥିଲେ । ଆଜି ସଂପୃକ୍ତ ବ୍ୟକ୍ତି ଆର ଆଇଙ୍କୁ ୭ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ବାଲେଶ୍ୱର ଭିଜିଲାନ୍ସ କୋଟକୁ ଚାଲାଣ ହୋଇଥିବା କଥା ଧାମରା ଅଂଚଳରେ ଚର୍ଚା ଚାଲିଛି । ଘଟଣାରୁ ପ୍ରକାଶ କଇଥଖୋଲା ପୂର୍ଣପ୍ରସାଦ ଗ୍ରାମର ପ୍ରଭାଂଶୁ ମାଇତିଙ୍କ ପୁଅ ସତ୍ୟପ୍ରକାଶ ମାଇତି ଙ୍କ ଏକ ଜମିର ନାମଜାରୀ ପାଇଁବାରମ୍ବାର କଇଥଖୋଲା ଆର ଆଇଙ୍କ ଦ୍ୱାରସ୍ଥ ହୋଇଥିଲେ ।ପ୍ରଥମେ ୧୦ହଜାର ଓ ପରେ ୭ହଜାର ଟଙ୍କା ଦେଲେ ଏହି ନାମଜାରୀ ସମ୍ଭବ ବୋଲି ଆର ଆଇ କୃଷ୍ନଚନ୍ଦ୍ର ଦାସ ସତ୍ୟପ୍ରକାଶ କୁ କହିଥିଲେ । ମାତ୍ର ଏତେ ଟଙ୍କା ଦେବା ସମ୍ଭବ ନହେବାରୁ ସତ୍ୟପ୍ରକାଶ ବାଲେଶ୍ୱର ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଧିକାରୀଙ୍କ ପରାମର୍ଶ କ୍ରମେ ଆଜି ଅପରାହ୍ଣ ୨ଟା ସମୟରେ ସତ୍ୟରଞ୍ଜନ ସଂପୃକ୍ତ ଆର ଆଇ ଏବଂ ତାଙ୍କ ସହଯୋଗୀ ବାଇଧର ଜେନାଙ୍କ ଉପସ୍ଥିତିରେ ରସାୟନ ବୋଳା ହୋଇଥିବା ୭ହଜାର ଟଙ୍କା ଦେଉଥିବା ସମୟରେ ବାଲେଶ୍ୱର ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଥିଲେ । ଘଟଣାସ୍ଥଳରୁ ଭିଜିଲାନ୍ସ ଟିମ ଆର ଆଇ କୃଷ୍ଣଚନ୍ଦ୍ର ଦାସ ଓ ସହଯୋଗୀ ବାଇଧର ଜେନାଙ୍କୁ ଗିରଫ କରି ବାଲେଶ୍ୱର ଭିଜିଲାନ୍ସ କୋର୍ଟ ଅଭିମୂଖେ ଯାତ୍ରା କରିଥିଲେ ।