Odiapua.com

୭ମାସର ଲୁଚକାଳି ଖେଳ ଶେଷ : ଜେଲ ଗଲେ ପୁଲିସ ଇନ୍‌ସ୍ପେକ୍ଟର ସରୋଜିନୀ ନାୟକ

ବାଲେଶ୍ୱର, ୨ା୨(ଓଡ଼ିଆ ପୁଅ/ଅଭୟ ଦାସ): ଥାନାର ଏଏସଆଇଙ୍କ ଜରିଆରେ ଲୋକଙ୍କଠାରୁ ମୋଟା ଅଙ୍କର ଉତ୍କୋଚ ନେବା ମାମଲାରେ ଗତ ଜୁଲାଇ ମାସଠାରୁ ଫେରାର ଥିବା ପୂର୍ବତନ ଟାଉନଥାନା ଅଧିକାରିଣୀ ସରୋଜିନୀ ନାୟକଙ୍କୁ ଶେଷରେ ଆଜି ଜେଲ ଯିବାକୁ ପଡ଼ିଛି। ବାଲେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ ସହ ଜାମିନ କରିଥିବା ଆବେଦନ ମଞ୍ଜୁର ହୋଇ ନଥିବା ବେଳେ ତାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଯିବାକୁ ଭିଜିଲାନ୍ସ ଜଜ୍ ନିଶିଥ ନିଶଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଟାଉନଥାନା ଅଧିକାରିଣୀ ଥିବା ବେଳେ ସରୋଜିନୀଙ୍କ ନିର୍ଦ୍ଦେଶ କ୍ରମେ ୨୦୧୯ ଏପ୍ରିଲ ୧୫ ତାରିଖରେ ଥାନାର ଏଏସଆଇ ନରହରି ମହାଳିକ ଜନୈକ ବ୍ୟକ୍ତିଙ୍କଠାରୁ ୮୦ ହଜାର ଟଙ୍କା ଓ ୨୦୨୦ ମସିହା ଜୁଲାଇ ୧ତାରିଖରେ ଅନ୍ୟଏକ ମାମଲାରେ ଏଏସଆଇ ବିମଳେନ୍ଦୁ କର ଅନ୍ୟଜଣଙ୍କଠାରୁ ୨୫ ହଜାର ଟଙ୍କା ନେବା ଉତ୍କୋଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ୮/୧୯ ଓ ୧୯/୨୦ ନଂର ଦୁଇ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ସରୋଜିନୀ ୭ମାସ ଧରି ଫେରାର ଥିଲେ। ତେବେ ଇତିମଧ୍ୟରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ବାଲେଶ୍ୱର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ ସହ ଜାମିନ୍ ଆବେଦନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ସେହିକ୍ରମରେ ସରୋଜିନୀ ଆଜି କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ପିପି ଶେଖ ହାଜିରୁଦ୍ଦିନ୍‍ ମାମଲା ପରିଚାଳନା କରିଥିଲେ। ଅନ୍ୟପକ୍ଷରେ ତାଙ୍କୁ ପଚରାଉଚୁରା ପାଇଁ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ବିଭାଗ କରିଥିବା ଆବେଦନର ଶୁଣାଣି ଶେଷ ହୋଇନଥିବା ଜଣାପଡ଼ିଛି। ତେବେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି ଜେଲ ଯିବା ଅବସରରେ ଅଭିଯୁକ୍ତ ସରୋଜିନୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।