Odiapua.com

୭ବର୍ଷ ପରେ ମଧ୍ୟ ସଂପୂର୍ଣ ହେଲାନି ହଟପୁର କଲ୍ୟାଣ ମଣ୍ଡପ, ୩୫ଲକ୍ଷ ପରେ ମଧ୍ୟ ଅର୍ଥ ଅଭାବ ଦର୍ଶାଉଛନ୍ତି କନିଷ୍ଠଯନ୍ତ୍ରୀ, ଭଙ୍ଗା କୋଠାର ପୁନଃରୁଦ୍ଧାର ମରଣଯନ୍ତା ପାଲଟିବ ନାହିଁତ!

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ବ୍ଲକ ଦୁର୍ନିତୀର ଗନ୍ତାଘର ସାଜିଥିବା ବେଳେ ଏଠି ବିଡିଓଙ୍କୁ ଫୋନ କରିବାପରେ ସେ ଫୋନ ଗ୍ରହଣ କରି ନଥାନ୍ତି, ସହକାରୀ ଯନ୍ତ୍ରୀ ନିଜକୁ କଣ ବୋଲି କଣ ଭାବିବାବେଳେ କନିଷ୍ଠଯନ୍ତ୍ରୀ ଙ୍କ କଥା ନକହିବା ଭଲ ।ଏହି ବ୍ଲକରେ ସମସ୍ତେ ସଲାସୁତୁରା ମାତ୍ର ସାଧାରଣ ଜନତାଙ୍କ ପାଇଁ ସମସ୍ତେ ସମସ୍ତଙ୍କ ହିସାବରେ । ଏକଥା ଆମେ କହୁନାହୁଁ ଏହି କଥାକୁ ନେଇ କିଛି ସାମାଜିକ କର୍ମୀ ୫ଟି ସଚିବ,କେନ୍ଦ୍ରାଂଚଳ ଆୟୋଗ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣିଛନ୍ତି । ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ବ୍ଲକ ଭଦ୍ରକ ଜିଲ୍ଲାରୁ ସିଂହ ଭାଗ ଅର୍ଥ ଆଣି ବ୍ୟୟ କରୁଥିବା ବେଳେ ସମସ୍ତ କାର୍ଯ୍ୟରେ ନିମ୍ନ ମାନର ଏବଂ ଅର୍ଥ ତୋଷାରପାତ ଅଭିଯୋଗ ହିଁ ଅଭିଯୋଗ । ପ୍ରାପ୍ତ ଖବରରୁ ଜଣାଯାଇଛି ୨୦୧୬ ମସିହାରେ ଆରମ୍ଭ ହୋଇଥିବା କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସରି ନଥିବା ବେଳେ ନୂଆ କାର୍ଯ୍ୟରେ କୋଟି କୋଟି ଟଙ୍କା ବିନିଯୋଗ ହେଉଛି ଏହି ସମସ୍ତ କାର୍ଯ୍ୟ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳିୟ ନେତା ଏବଂ କୁଜୀ ନେତାଙ୍କ ହାତ ଟାଣ କରିବା ପାଇଁ ଏକ ଅଭିନବ ପ୍ରୟାସ ।୫ଟିରେ ସ୍ୱଚ୍ଛ ଶାସନ ବୋଲି କହୁଥିବା ରାଜ୍ୟ ପ୍ରଶାସନକେବେ ଏହି ସ୍ୱଚ୍ଛ ଶାସନ ଦେବ ତାହା ପ୍ରଶ୍ନବାଚୀ ହୋଇ ପଡିଛି । ୨୦୧୬ ମସିହାରେ ହଟପୁର ଠାରେ ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୫ଶହ ସ୍କୋୟାରଫୁଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ କରିଥିଲେ । ଏହି କାର୍ଯ୍ୟ ଆରମ୍ଭରେ ବିଧାୟକ ବ୍ୟୋମକେଶ ରାୟ,ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରଦ୍ଧାଞ୍ଜଳି ଧଳ ଏବଂ ତତକାଳିନ ବିଡିଓ ଯିଏକି ବର୍ତ୍ତମାନ ଭଦ୍ରକ ଜିଲ୍ଲାର ଉପ ଜିଲ୍ଲାପାଳ ମନୋଜ ପାତ୍ର ମହୋଦୟ ଶୁଭ ଭିତିପ୍ରସ୍ଥର ସ୍ଥାପନ ବେଳେ ଉପସ୍ଥିତ ଥିଲେ ବୋଲି ଫଳକରେ ଲିପିବଦ୍ଧ ହୋଇଛି ।

ଏହି କାର୍ଯ୍ୟ ୬ମାସ ଚାଲିବା ପରେ ଅର୍ଥଅଭାବ ରହିଛି ବୋଲି କହି କାର୍ଯ୍ୟ ବନ୍ଦ କରିଦେଇଥିଲେ । ଦୀର୍ଘ ୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ସମାପ୍ତ ହୋଇ ପାରି ନାହିଁ । ସବୁଠାରୁ ରୋଚକର ବିଷୟ ଏହି କଲ୍ୟାଣ ମଣ୍ଡପ ର ଅର୍ଦ୍ଧ ନିର୍ମିତ ଘର ଆଜି ଭଳି ଦିନରେ କେଉଁଠି ଇଟା ଖସି ପଡିଲାଣିତ ଆଉ କେଉଁଠି ଢଳେଇ ଏବଂ ପ୍ଲାଷ୍ଟର ମଧ୍ୟ ଖସି ପଡିଲାଣି ଏଥିସହ ଏହି ଢଳେଇ ମଧ୍ୟରେ ଥିବା ଲୁହା ରଡ ମଧ୍ୟ କଳଙ୍କି ଲାଗି ନଷ୍ଟ ହୋଇ ଗଲାଣି । କେଉଁ ପରିସ୍ଥିତିରେ ଏହି କଲ୍ୟାଣ ମଣ୍ଡପ ଦୀର୍ଘ ୭ବର୍ଷ ହେବ ଅର୍ଦ୍ଧନିର୍ମିତ ହୋଇ ରହିଛି ଏବଂ ସଂପୃକ୍ତ ଠିକାଦାର କାହିଁକି ଏହାକୁ ଅଧାଗଢା କରି ଛାଡି ପଳାଇଗଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଆଗକୁ ବିଧାନସଭା ନିର୍ବାଚନ ରହୁଥିବାରୁ ପୁନଶ୍ଚ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି ମାତ୍ର ଏହି ପ୍ରତିଶ୍ରୁତି କିଏ ଦେଇଛି କଣ ନିର୍ବାଚନ ଭେଳିକି ଅଥବା ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇ ଭୋଟ ହାତେଇ ନେବାର ପ୍ରୟାଶ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି । ଏହି ବିଷୟରେ ଚାନ୍ଦବାଲି ବିଡିଓ ଙ୍କ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ସେ ଫୋନ ଗ୍ରହଣ କରି ନଥିଲେ,ସେ କେବଳ ବଡ ବଡିଆଙ୍କ ଫୋନ ଗ୍ରହଣ କରିଥାନ୍ତି ବୋଲି ଶୁଣିବାକୁ ମିଳିଥିଲା । ଏଥିସହ ଚାନ୍ଦବାଲି ବ୍ଲକରେ ଥିବା ସହକାରୀ ଯନ୍ତ୍ରୀ କୌଣସି କଥାରେ କିଛି ଉତର ରଖିବାତ ପଛ କଥା ସେ ମଧ୍ୟ ବିଡିଓଙ୍କ ଭଳି ଫୋନ ଗ୍ରହଣ କରି ନଥିଲେ । ଶେଷରେ ହଟପୁର ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଧନଞ୍ଜୟ ମହାପାତ୍ର ଫୋନ ଗ୍ରହଣ କରିଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିବା ସହ ଅର୍ଥାଭାବରୁ ଏହି କାର୍ଯ୍ୟ ବନ୍ଦ ହୋଇଥିବା କଥା ସ୍ୱୀକାର କରିଥିଲେ । କେଉଁ ପରିସ୍ଥିତିରେ ଇଟା ,ଢଳେଇ ଏବଂ ପଲସ୍ତରା ଖସୁଥିବା ଏହି ଭଙ୍ଗା ଏବଂ ଅର୍ଦ୍ଧନିର୍ମିତ କଲ୍ୟାଣ ମଣ୍ଡପ ନିର୍ମାଣ ପରେ ସାଧାରଣ ଜନତାଙ୍କ କାର୍ଯ୍ୟରେ ଆସିବ ଅଥବା କାର୍ଯ୍ୟରେ ସ୍ଥାୟିତ୍ୱ ନଥିବା ଭଙ୍ଗା କୋଠା ସାଧାରଣ ଜନତାଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିବ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।