ତିର୍ତ୍ତୋଲ ୦୬/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- କରୋନା କଟକଣା ପାଇଁ ଦୀର୍ଘ ୯ ମାସ ହେବ ଦେବା ଦେବୀ ମନ୍ଦିର ବନ୍ଦ ରହିଥିଲା। ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀଙ୍କ ମନ୍ଦିର ୩ ତାରିଖ ଦିନ ମନ୍ଦିର ବିଳମ୍ବରେ ଖୋଲାଯାଇଥିବାବେଳେ ୧୮୨ ଜଣ ଭକ୍ତ ପଞ୍ଜିକରଣ କରି ଦର୍ଶନ କରିଥିବାବେଳେ ୪ ତାରିଖ ଦିନ ୧୭୦, ୫ ତାରିଖ ଦିନ ୧୬୭ ଓ ୬ ତାରିଖରେ ୧୯୧ ଜଣ ଭକ୍ତଙ୍କୁ ମିଶାଇ ମୋଟ ୭୧୦ ଜଣ ଭକ୍ତ ମା ଶାରଳା ଠାକୁରାଣୀଙ୍କୁ ଦର୍ଶନ କରିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। କରୋନା କଟକଣା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ନା ଓ ବେଢ଼ା ଭିତରେ ବ୍ୟାରିକେଡ଼୍ କରାଯାଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ଶ୍ରଦ୍ଧାଳୁ ଓ ଭକ୍ତମାନେ ମାଙ୍କୁ ଦର୍ଶନ କରିବାରେ ସୁଯୋଗ ପାଇଛନ୍ତି। ପ୍ରଶାସନର ପକ୍ଷରୁ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କ ଭକ୍ତଙ୍କୁ ଦର୍ଶନ ନକରିବାପାଇଁ ବାରଣ କରାଯାଇଛି। ନିତିନିୟମ ଅନୁଯାଇ ସକାଳ ୮ ଟାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହୁଥିବାବେଳେ ଭକ୍ତ ଓ ଶ୍ରଦ୍ଧାଳୁମାନେ ବ୍ୟାରିକେଡ଼ ଦ୍ୱାରା ସିଂହ ଦ୍ୱାରରେ ପ୍ରବେଶ କରି ପଛ ପଟ ଦ୍ୱାରରେ ପ୍ରସ୍ଥାନ କରୁଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଆଧାର କାର୍ଡ଼ ବାଧ୍ୟତା ମୁଳକ କରାଯାଇଥିବାବେଳେ ଅନ୍ୟ ଜିଲ୍ଲାରୁ ଆସୁଥିବା ଭକ୍ତମାନଙ୍କ ପାଇଁ କୋଭିଡ଼ ପରୀକ୍ଷା ନେଗେଟିଭ୍ ରିପୋର୍ଟ ଜରୁରି କରାଯାଇଛି। ଏହା ସହିତ ପ୍ରଥମେ ମନ୍ଦିର ପ୍ରଶାସନ ପକ୍ଷରୁ ଆସୁଥିବା ଭକ୍ତମାନଙ୍କର ପରିଚୟ ପତ୍ର ପ୍ରଦାନ କରି ପଞ୍ଜି କରଣ କରିବାପରେ ଭକ୍ତଙ୍କୁ ଏକ ଟୋକନ ଦିଆଯାଉଛି। ଏହି ଟୋକନକୁ ନେଇ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଉଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି।