Odiapua.com

୬୭ତମ କୁରାଳ ପଞ୍ଚମୀ ପୂଜୋତ୍ସବ ଉଦ୍‌ଯାପିତ, ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଲା

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅଧୀନସ୍ଥ କଲେଇ ଗ୍ରାମପଞ୍ଚାୟତର ବଳଭଦ୍ରପୁର ଚୁନିଦାସ୍ଥିତ କ୍ଷେତ୍ରବାସୀ ସାହିରେ କୁମ୍ଭକାର ମାନଙ୍କର ମହାପର୍ବ ୬୭ତମ କୁରାଳ ପଞ୍ଚମୀ ପୂଜୋତ୍ସବ ୨୦୨୩ ମହାସମାରୋହରେ ଉଦ୍‌ଯାପିତ ହୋଇଛି । କୁମ୍ଭକାର, କାରିଗର ଓ ଟେରାକୋଟା ଶିଳ୍ପୀମାନେ ସର୍ବପ୍ରଥମେ କପାଳୀ ନଦୀରୁ ଘଟୋତ୍ତୋଳନ କରି ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ସମେତ ଅଷ୍ଟଚକ୍ର ପୂଜା, କୁରାଳ ପୁରାଣ ଅନୁସାରେ କରିଥିଲେ । ପ୍ରତିଦିନ ଅପରାହ୍ନ ୪ ଘଟିକାରୁ ଭଜନ କୀର୍ତ୍ତନ ପ୍ରବଚନ, ନୃତ୍ୟ,ଗୀତିନାଟ୍ୟ ଓ ନୃତ୍ୟ ନାଟିକା ଆଦି କାର୍ଯ୍ୟକ୍ରମ ସହ ମଂଚ କଳାକାର, ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ସାମ୍ବାଦିକ, ସାହିତ୍ୟିକ, କବି, ପ୍ରଶାସକ, ଆଦର୍ଶ ଶିକ୍ଷକ, ଅଧ୍ୟାପକ, ହସ୍ତଶିଳ୍ପ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ କୁରାଳ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ମହୋତ୍ସବର ଉଦ୍‌ଘାଟନୀ ସଭାରେ ଆକାଶବାଣୀ ଦୂରଦର୍ଶନ କେନ୍ଦ୍ରର କଳାକାର ନାଟ୍ୟଶ୍ରୀ ନିର୍ମଳ ରାଉତ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲା ହସ୍ତଶିଳ୍ପ ଉପନିର୍ଦ୍ଦେଶକ ଅରୁଣ କୁମାର ପଣ୍ଡଳ, ମୁଖ୍ୟବକ୍ତା ଭାବେ ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କାଉନସିଲର ଅଧ୍ୟାପକ ଡ. ଚିନ୍ମୟ ଦାସ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ଦୈତ୍ୟାରି ମହାପାତ୍ର, ନୃତ୍ୟଗୁରୁ ମାଷ୍ଟର ମିହିର କୁମାର ଯୋଗଦାନ କରିଥିଲେ ।

ଏହି ଅବସରରେ ଉତ୍କଳ ନୃତ୍ୟ ତରଙ୍ଗ ଓ ଡଲଫିନ ଡ୍ୟାନ୍ସ ଗ୍ରୁପ୍ କଳାକାରମାନଙ୍କର ଉଚ୍ଚକୋଟିର ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ବେହେରା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଚକ୍ରକ୍ଷେତ୍ର ପ୍ରତିଷ୍ଠାତା ରଶ୍ମିରଂଜନ ମୁଦୁଲି ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ. ଚିନ୍ମୟ ଦାସ, ସମ୍ମାନିତ ଅତିଥି ଭାବେ ଅମୀୟ କୁମାର ବେହେରା, ନରେନ୍ଦ୍ର ସାମଲ, ଉପେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଫାଉଣ୍ଡେସନର ଆବାହକ କାହ୍ନୁଚରଣ ସାହୁ ମଂଚ ସଂଚାଳନ କରିଥିବାବେଳେ ଉଦ୍‌ଯାପନୀ ଉତ୍ସବରେ ଶିକ୍ଷାବିତ୍ ମନୋଜ କୁମାର ଜେନା, କେଦାରନାଥ ସାହୁ, ଗୌରାଙ୍ଗ ମୁଦୁଲି, ଚକ୍ରଧର ସାହୁ, ସଚ୍ଚିଦାନନ୍ଦ ବ୍ରହ୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ । ଏହିଦିନ ସଂଗୀତ ମ୍ୟାଜିକ୍ ସୋ, ଲୋକନୃତ୍ୟ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା । ଏହି ଅବସରରେ ନୃତ୍ୟ ସଂଗୀତ, ସାମ୍ବାଦିକତା, ଅଭିନେତା, ବାଦ୍ୟଶିଳ୍ପୀ, ସମାଜସେବୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶତାୟୁ ପୁରୁଷ ତଥା କୁରାଳ ସମାଜର ମୁଖ୍ୟ ରାମଚନ୍ଦ୍ର ସାହୁ ଓ ମହାରାଜା କଂସର ଭୂମିକା ଥିଲା ସ୍ୱତନ୍ତ୍ର ନିଆରା ।