Odiapua.com

୬୬୨ କଲେଜ ସଂଘର ଉତ୍ତରା ପୂର୍ବାଞ୍ଚଳ ଅଧ୍ୟକ୍ଷ ସମ୍ମିଳନୀ, ସଂଘ ଗ୍ରହଣ କରିବ କଠୋର ନିଷ୍ପତ୍ତି

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରୀୟ ଓଡିଶା ଅଧ୍ୟକ୍ଷ ସମ୍ମିଳନୀ ପରେ ଆଜି ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ସ୍ଥାନୀୟ ଭଦ୍ରକ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଅଛି । ୫ଟି ଜିଲ୍ଲା ଯଥା: ଭଦ୍ରକ, ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ସମସ୍ତ କଲେଜ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଭଦ୍ରକର ମାନ୍ୟବର ବିଧାୟକ ସଂଜିବ କୁମାର ମଲ୍ଲିକ ଉଦ୍‌ଘାଟନ କରିଥିବା ବେଳେ ଚାନ୍ଦବାଲି ବିଧାୟକ ମାନ୍ୟବର ଡ. ବ୍ୟୋମକେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘର ଯଥୋଚିତ ଦାବୀ ସରକାର ଶୀଘ୍ର ପୂରଣ କରିବାକୁ ଅନୁରୋଧ ରଖିଥିଲେ । ପ୍ରକାଶ ଥାଉକି ସଂଘ ତାର ପ୍ରମୁଖ ଦାବୀ ଭାବେ ସମାନ ଗ୍ରେଡ୍ ପେ ଆଧାରରେ ସମସ୍ତ ବର୍ଗଙ୍କୁ ସମାନ ଦରମା ପ୍ରଦାନ, ଏହି ବର୍ଗ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନସନ ପରିସରଭୁକ୍ତ କରିବା, ୨୦୧୮ ଜି.ଓ. ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ, ବାଦ୍ ପଡିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବୀରେ ଦୀର୍ଘ ୨୮୦ ଦିନ ହେଲା ଲୋୟର ପି.ଏମ୍‌.ଜି ରେ ଅହୋରାତ୍ର ଧାରଣା ଜାରି ରଖିଛି । ଏହା ମଧ୍ୟରେ ୬ଥର ମହାସମାବେଶ କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଆଦିତ୍ୟ କୁମାର ଜେନା ଅଧ୍ୟକ୍ଷତା କରିଥିଲେ ।

ଆବାହକ ଶୁଶାନ୍ତ କୁମାର ବାରିକ ମଂଚ ପରିଚାଳନା କରିଥିବା ବେଳେ ଭଦ୍ରକ ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଆଲୋଚନାରେ ଭାଗନେଇ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ବ୍ୟୋମକେଶ ରାୟ ଦାବିଗୁଡିକୁ ନେଇ ସରକାରଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଗୋଲକ ନାୟକ, ଦୁଇ ସାଧାରଣ ସଂପାଦକ ସତ୍ତାଉଦ୍ଦିନ ଅହମ୍ମଦ, ଡଃ ଗଗନ ବେଉରା, ଡଃ ତପନ ଜେନା, ଗଜେନ୍ଦ୍ର ନାୟକ, ଜୟନ୍ତ ସେଠୀ, ସଂଗ୍ରାମ ମଲ୍ଲିକ, ଅସୀମା ସାହୁ, ଗୁନାକର ଦାସ, ମନୋଜ ସାହୁ, ବିଜୟ ଦାସ, ଅଭିମନ୍ୟୁ ସାହୁ, ସତ୍ୟନାରାୟଣ ସାହୁ, ଅକ୍ଷୟ କୁମାର ସିଂ ଭାଗ ନେଇ ଡିସେମ୍ବର ଶେଷ ସୁଦ୍ଧା ଯଦି ସରକାର ଦାବୀ ପୂରଣ ନକରନ୍ତି, ତେବେ ସମଗ୍ର ରାଜ୍ୟରେ କଲେଜ ଗୁଡ଼ିକୁ ବନ୍ଦ କରି ଉପଜିଲ୍ଳାପାଳଙ୍କୁ ଚାବି ହସ୍ତାନ୍ତର କରାଯିବ ଓ ପାଠପଢ଼ାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯିବ ବୋଲି ଚେତବନୀ ଦିଆ ଯାଇଛି । ସାରା ରାଜ୍ୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ଓ ଛାତ୍ରଛାତ୍ରୀଙ୍କର ଯାହା କ୍ଷତି ହେବ, ସେଥିଲାଗି ରାଜ୍ୟ ସରକାର ଦାୟୀ ରହିବେ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନାୟକ କହିଥିଲେ ।