ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଦାବି ପରେ ଶନିମନ୍ଦିରରୁ ନୂଆ ବସ୍ଷ୍ଟାଣ୍ଡ ଦେଇ ୧୬ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାର ଭାଗ୍ୟ ଖୋଲିଛି। ମରାମତି ଅଭାବରୁ ଅତି ସଂକଟ ସ୍ଥିତିରେ ରହିଥିଲା। ଏହି ଖାଲଖମା ଭର୍ତି ସହ ବଡ ବଡ ଗର୍ତ ପାଇଁ ଯାତ୍ରୀବାହୀ ବସ୍ରୁ ଆରମ୍ଭ କରି ଆମ୍ବୁଲାନ୍ସ ଆଦି ଟଳମଳ ହୋଇ ଚାଲୁଥିଲା। ଜାତୀୟ ରାଜପଥରୁ ସହରକୁ ସିଧାସଳଖ ଏହି ସଂଯୋଗ ରାସ୍ତା ଗମନାଗମନ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ରହିଥିଲା। ପୁଣି ଚାନ୍ଦବାଲି ରାଜ୍ୟ ରାଜପଥ ନିମନ୍ତେ ସଂଯୋଗର ଅନ୍ୟତମ ମୁଖ୍ୟ ସଡକ ଭାବେ ଏହା ଗଣାଯାଇଛି। ବହୁ ଦିନ ଧରି ଏହା ଦୂରାବସ୍ଥା ନେଇ ସହରବାସୀ ଉଦ୍ବେଗ ପ୍ରକାଶ କରିଥିଲେ। ଏବେବି ଏହି ରାସ୍ତାର ପିଚୁ ନିମନ୍ତେ ଗତ ସୋମବାର ଶିଳାନ୍ୟାସ କରାଯାଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବଙ୍କ ଦ୍ୱାରା ଉକ୍ତ ରାସ୍ତା କାର୍ଯ୍ୟ ନିମନ୍ତେ ଶିଳାନ୍ୟାସ କରାଯାଇଛି। ୬୧ ଲକ୍ଷ ୮୨ ହଜାର ୪୭୬ ଟଙ୍କା ବିନିମୟରେ ହେବା ନେଇ ନିଷ୍ପତି ମୁତାବକ ଚୁକ୍ତି କରାଯାଇଛି। ଶନିମନ୍ଦିର-ନୂଆ ବସ୍ଷ୍ଟାଣ୍ଡ ରାସ୍ତା ନିର୍ମାଣ ନେଇ ବାରମ୍ବାର ଦାବି ହୋଇଆସୁଥିଲା। ପୌରପାଳିକା ଅଧୀନରେ ରହିଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା କାର୍ଯ୍ୟ ହେବା ନେଇ ପୂର୍ବରୁ ଦୁଇଥର ଟେଣ୍ଡର ହୋଇଥିଲା। ଚୁକ୍ତି ମୁତାବକ ଟେଣ୍ଡରଧାରୀ ନଥିବାରୁ ତାହା ବାତିଲ ହୋଇଥିଲା। ତୃତୀୟ ଥରରେ ଟେଣ୍ଡର କରାଯାଇଥିଲା। ଆଜି ଏହାର ଶିଳାନ୍ୟାସ ହେବା ପରେ ବିଧାୟକ ଶ୍ରୀ ମହାପାତ୍ର, ପୌରାଧ୍ୟକ୍ଷଙ୍କ ସମେତ ପୌରପାଳିକା ପାରିଷଦ ଖଗେଶ୍ୱର ବାରିକ, ଦିଲ୍ଲୀପ ନାୟକ, ହେମନ୍ତ ସାହୁ, ଜ୍ୟୋତିର୍ମୟ ପଟ୍ଟନାୟକ, ପୌର ନିର୍ବାହୀ ଅଧିକାରୀ ଇଂ ତାପସ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।