Odiapua.com

୬୧ ଦିନରେ ଶେଷ ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନର ଗରିବଙ୍କୁ ରନ୍ଧାଖାଦ୍ୟ

ବାଲେଶ୍ୱର, ୩୧ା୫ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଦୀର୍ଘ ଅଢ଼େଇ ମାସଧରି ଲାଗୁ ହୋଇଥିବା ଲକ୍ ଡାଉନ୍ ଯୋଗୁଁ ଶ୍ରମଜୀବୀ ତଥା ଗରିବ ପରିବାର ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନର ବନ୍ଦେ ମାଆତରମ୍ ଶାଖା ପକ୍ଷରୁ ଆରମ୍ଭ ହୋଇଥିବା ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କାର୍ଯ୍ୟକ୍ରମ ଆଜି ୬୧ ଦିନରେ ଶେଷ ହୋଇଛି। ସହର ସମେତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକ ଏବଂ ଲକ୍ ଡାଉନ୍ ଯୋଗୁଁ ଜାତୀୟ ରାଜପଥରେ ଟ୍ରକ୍ ଓ ଚାଲିଚାଲି ଘରକୁ ଯାଉଥିବା ଲୋକଙ୍କୁ ସଂଗଠନର କର୍ମକର୍ତ୍ତାମାନେ ଦୁଇଓଳି ଖାଦ୍ୟ ପ୍ରଦାନ କରିଆସୁଥିଲେ। କେବଳ ଖାଦ୍ୟ ପ୍ରଦାନ ନୁହେଁ ବରଂ ମହାମାରୀ କରୋନାର ମୁକାବିଲା କରିବା ପାଇଁ ସେମାନଙ୍କୁ ସାନିଟାଇଜର, ମାସ୍କ ପ୍ରଭୃତି ବ୍ୟବହାର ସମ୍ପର୍କରେ ସଚେତନ କରାଉଥିଲେ। ଆଜି ଉଦ୍‌ଯାପନ ଦିବସରେ ଅଙ୍ଗାରଗଡ଼ିଆ ରାମେଶ୍ୱର ନଗର ବସ୍ତି ଅଞ୍ଚଳର ଲୋକଙ୍କୁ ରନ୍ଧାଖାଦ୍ୟ ସାଙ୍ଗକୁ ମାସ୍କ ଓ ସାନିଟାଇଜର ପ୍ରଭୃତି ପ୍ରଦାନ କରାଯାଇଥିଲା। ସ୍ୱଦେଶ ସଂଗ୍ରାମ ଫାଉଣ୍ଡେସନର ଚେୟାରମ୍ୟାନ୍ ଯୁବ ଉଦ୍ୟୋଗୀ ସଂଗ୍ରାମ ଦାସ, ଭାଇସ ଚେୟାରମ୍ୟାନ ସଂଜୀବ ମିଶ୍ର, ସଭାପତି ଅସିତ୍ ଦାସ, ସାଧାରଣ ସମ୍ପାଦକ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶତାଧିକ ଲୋକଙ୍କୁ ସେବା ପ୍ରଦାନ କରାଯାଇଥିଲା। ସମ୍ବିତ୍ ଶ୍ରବଣ ବିଶ୍ୱାଳ, ସୁଜୟ ଆଚାର୍ଯ୍ୟ, ଅନୁପମ ସେଠୀ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଆଶିଷ ସାହୁ, ଡକ୍ଟର ଅରବିନ୍ଦ ପଣ୍ଡା, ଉମେଶ ବେହେରା, ଅନୁପମ ମିଶ୍ର, ଶିଲାବ ସତ୍ୟକାମ୍‌, ଅମରେଶ କୁମାର ସାମଲ, ଜ୍ୟୋତିର୍ମୟୀ ସାମଲ, ଜୟଶ୍ରୀ ବିଶ୍ୱାଳ, ରାଜଲକ୍ଷ୍ମୀ ମହାନ୍ତି, ସାଗରିକା ମହାନ୍ତି, ଯାଜେ୍ଞସିନୀ ଦାସ, ଖଗେଶ୍ୱର ବାରିକ, ରାଜେଶ ମଲ୍ଲିକ, ନରୋତ୍ତମ ନନ୍ଦଗୋସ୍ୱାମ. ଅମିତ୍ ଦାସ, ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ। ତେବେ ଲକ୍ ଡାଉନ୍ କୋହଳ ହେବା ସଙ୍ଗେ ସଙ୍ଗେ ସଂଗଠନର ରନ୍ଧା ଖାଦ୍ୟ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହୋଇଥିଲେ ବି ଅନ୍ୟାନ୍ୟ ସମାଜସେବା ଜାରି ରହିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି। ଜିଲ୍ଲାବାସୀଙ୍କ ସେବା ପାଇଁ ଆଗାମୀ ଦିନରେ ମୁଖ୍ୟଚିକିତ୍ସାଳୟର ରୋଗୀ ପରିବାରଙ୍କୁ ପ୍ରତ୍ୟେକ ରବିବାରରେ ଖାଦ୍ୟ ବଣ୍ଟନ, ଡାକ୍ତରଖାନାରୁ ମୃତ ଶରୀର ପରିବହନ ପାଇଁ ଏକ ସ୍ୱର୍ଗଯାନ ପ୍ରଦାନ ଓ ଡାକ୍ତରଖାନାରେ ମୃତଶରୀରକୁ କିଛିଦିନ ସତେଜ ରଖିବା ପାଇଁ ଏକ ଆଇସ୍ ଚ୍ୟାମ୍ବର ପ୍ରଦାନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସେହିଭଳି କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଖୁବଶୀଘ୍ର ଏକ ସାନିଟାଇଜିଂ ଟର୍ଣ୍ଣେଲ ସ୍ଥାପନ ପାଇଁ ମଧ୍ୟ ଉଦ୍ୟମ କରାଯାଉଥିବା କର୍ମକର୍ତ୍ତାମାନେ କହିଛନ୍ତି।