Odiapua.com

୬୧ ଗ୍ରାମର ବ୍ରାଉନ୍ ସୁଗାର ଓ ୩ ବାଇକ୍ ଜବତ, ୪ ଗିରଫ

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବିଭିନ୍ନ ସ୍ଥାନରେ ସହରାଞ୍ଚଳ ଥାନା ପକ୍ଷରୁ ଚଢାଉ କରାଯାଇ ୬୧ ଗ୍ରାମର ବ୍ରାଉନ୍ ସୁଗାର ଜବତ ହୋଇଛି । ଏଥିରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ପୁଲିସ୍ ଗିରଫ କରି ସେମାନେ ବ୍ୟବହାର କରୁଥିବା ୨୨ଟି ମୋବାଇଲ୍ ଫୋନ୍ ସହ ୩ଟି ବାଇକ୍ ମଧ୍ୟ ଜବତ କରିଛି । ଏହି ବ୍ରାଉନ୍‌ସୁଗାରର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଗୋଟିଏ ଦିନ ତଳେ ରାଜ୍ୟର ଏସ୍‌ଟିଏଫ୍‌ର ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକକୁ ଆସି ପ୍ରାୟ ୧ କିଲୋଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ୍ ସୁଗାର ଜବତ କରିଥିଲା । କିନ୍ତୁ ଏହି ଘଟଣା ସଂପର୍କରେ ଜିଲା ପୁଲିସ୍ ପାଖରେ ଖବର ନଥିଲା । ଏସ୍‌ଟିଏଫ୍‌ର ଉକ୍ତ କାର୍ଯ୍ୟାନୁଷ୍ଠାନ ଉପରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ନିଜର ଅଭିଯାନ ଆରମ୍ଭ କରିଥିବାର ଚର୍ଚ୍ଚା ହୋଇଛି । ତେବେ ଆଜି ଏହି ବ୍ରାଉନ୍‌ସୁଗାର ଜବତ ସଂପର୍କରେ ସୂଚନା ଦେବାକୁ ଯାଇ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ବ୍ରାଉନସୁଗାର ହେଉ କିମ୍ବା ଅନ୍ୟ ନିଶା ଦ୍ରବ୍ୟ ହେଉ, ଯେଉଁମାନେ ଏଥିରେ ସଂପୃକ୍ତ ଥିବେ, ସେମାନଙ୍କ ଉପରେ ଜିଲା ପୁଲିସ୍ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଅସ୍ଥଳ ନରିପୁର ନିବାସୀ କମଳାକାନ୍ତ ଓରଫ ବିଜୟ ଦାସ, ପ୍ରଶାନ୍ତ ବେହେରା ଓ ତାଙ୍କ ପତ୍ନୀ ଗୀତାରାଣୀ ବେହେରାଙ୍କ ସମେତ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାଜପୁର ତିହିଡି ନୂଆସାହି ନିବାସୀ କୁନା ମୁଣ୍ଡାଙ୍କୁ ପୁଲିସ୍ ଆଜି କୋର୍ଟ ଚାଲାଣ କରିଛି ।