Odiapua.com

୬୦ ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ଭୁବନେଶ୍ୱର/କଟକ୨୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)୬୦ ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ଆଜି ପୂର୍ବାହ୍ନରେ ପୋଲିସ ମୁଖ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ପାଳନ କରାଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡମ୍ୱର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ବିଭିନ୍ନ ଆରକ୍ଷୀ ବିଭାଗରେ ଶହୀଦ ହୋଇଥିବା ଯବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଶହୀଦ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ମଧ୍ୟ ଶ୍ରୀ ଶର୍ମା ଏହି ଅବସରରେ ସମବେଦନା ଜଣାଇଛନ୍ତି । ବୀର ଶହୀଦ ମାନଙ୍କ ପାଇଁ ଏହି ପରିପ୍ରେକ୍ଷୀରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ଆରକ୍ଷୀ ବାହିନୀ ତରଫରୁ ଶୋକଶସ୍ତ୍ର, ସଲାମିଶସ୍ତ୍ର ଓ ତୋପ ସଲାମି ପ୍ରଦର୍ଶନ କରାଯାଇଥିଲା । ଓ.ଏସ୍.ଏପି ୨ୟ ବାଟାଲିୟନ, ଝାରସୁଗୁଡାର ଉପ ଦୁର୍ଗପତି ଶ୍ରୀ ଆଶିଷ କୁମାର ଦୁବେଙ୍କ ନେତୃତ୍ୱରେ ଏହି ପ୍ୟାରେଡ ପରିଚାଳିତ ହୋଇଥିଲା । ଚଳିତ ବର୍ଷ ସମଗ୍ର ଦେଶରେ ବିଭିନ୍ନ ଆରକ୍ଷୀ ବିଭାଗରେ ସର୍ବମୋଟ ୨୯୨ ଜଣ ଯବାନ ପ୍ରାଣବଳୀ ଦେଇଛନ୍ତି । ତନ୍ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୨, ଅରୁଣାଚଳ ପ୍ରଦେଶରୁ ୩, ବିହାରରୁ ୭, ଛତିଶଗଡରୁ ୧୪, ଦିଲ୍ଲୀରୁ ୧୦, ହରିୟାନାରୁ ୩, ହିମାଚଳ ପ୍ରଦେଶରୁ ୧, ଜାମ୍ମୁ ଓ କାଶ୍ମୀରରୁ ୨୪, ଝାରଖଣ୍ତରୁ ୫, କର୍ଣ୍ଣାଟକରୁ ୧୨, ମଧ୍ୟପ୍ରଦେଶରୁ ୨, ମହାରାଷ୍ଟ୍ରରୁ ୨୦, ମଣିପୁରରୁ ୨, ରାଜସ୍ଥାନରୁ ୧୦, ସିକିମରୁ ୧, ତ୍ରିପୁରାରୁ ୧, ଉତ୍ତରପ୍ରଦେଶରୁ ୫, ଉତ୍ତରାଖଣ୍ତରୁ ୧, ପଶ୍ଚିମବଙ୍ଗରୁ ୭, Assam Rifles ରୁ ୩, BSF ରୁ ୪୧, CISF ରୁ ୬, CRPF ରୁ ୬୭, ITBP ରୁ ୨୩, NDRF ରୁ ୪, RPF ରୁ ୧୧, SSB ରୁ ୫ ଏବଂ ଓଡିଶାରୁ ଦୁଇ ଜଣ ଆରକ୍ଷୀ କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣବଳି ଦେଇଛନ୍ତି । ଓଡିଶାରୁ ପ୍ରାଣବଳି ଦେଇଥିବା ଆରକ୍ଷୀ ମାନେ ହେଲେ ହାବିଲଦାର ମେଜର ସୁଜିତ କୁମାର ମିଞ୍ଜ ଏବଂ ଓ.ଏ.ପି.ଏଫ/୧୩୭ ଜୟରାମ କବାଶି । ଏହି ଅବସରରେ ମୁଖ୍ୟ ଅତିଥି ୧୦ ଜଣ ଶହୀଦଙ୍କ ପରିବାର ସଦସ୍ୟଙ୍କୁ ସଂବର୍ଦ୍ଧିତ କରିବା ସହ ସେମାନଙ୍କ ଅଭାବ ଅସୁବିଧା କଥା ପଚାରି ବୁଝିଥିଲେ। ସଂବର୍ଦ୍ଧିତ ଶହୀଦଙ୍କ ମଧ୍ୟରେ ଥିଲେ ଶହୀଦ କନେଷ୍ଟବଳ ଉମାକାନ୍ତ ଜାନି, ଶହୀଦ କନେଷ୍ଟବଳ ସଂଗ୍ରାମ କୁମାର ଲେଙ୍କା, ଶହୀଦ କନେଷ୍ଟବଳ ଶଶୀ ଭୂଷଣ ରାଉତ, ଶହୀଦ କନେଷ୍ଟବଳ ସୁନୀଲ ଦତ୍ତ ସିଂହ, ଶହୀଦ ଏ,ଏସ୍.ଆଇ କୃପାରାମ ମାଝି, ଶହୀଦ କନେଷ୍ଟବଳ ପ୍ରକାଶ ରାଉତ, ଶହୀଦ କମାଣ୍ତୋ ଲଷ୍ମୀକାନ୍ତ ଜାନି, ଶହୀଦ କନେଷ୍ଟବଳ ସଞ୍ଜୟ ମାଝି, ଶହୀଦ ହାବିଲଦାର ମେଜର ସୁଜିତ କୁମାର ମିଞ୍ଜ ଓ ଶହୀଦ ଓ.ଏ.ପି.ଏଫ୍/୧୩୭ ଜୟରାମ କବାଶି।ସୂଚନାଯୋଗ୍ୟଯେ ୧୯୫୯ ମସିହା ଆଜିର ଦିନରେ ଚୀନ ସୈନିକ ମାନଙ୍କ ଆକ୍ରମଣରେ ଲଦାଖ ଅଞ୍ଚଳରେ କର୍ତ୍ତବ୍ୟରତ ୧୦ ଜଣ ଭାରତୀୟ ସି.ଆର୍.ପି.ଏଫ୍ ଯବାନ ପ୍ରାଣବଳି ଦେଇଥିଲେ । ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାରା ଦେଶରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନ ପୋଲିସ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରାଯାଉଅଛି ।ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ରହି ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।