Odiapua.com

୬ଷ୍ଠ ବିଶ୍ୱ ପ୍ରତିବେଶୀ ଦିବସ ପାଳିତ

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱରେ ଫାଦର୍ସ ଡେ’, ମଦର୍ସ ଡେ’, ଚକ୍‌ଲେଟ୍ ଡେ’, ଭାଲେଣ୍ଟାଇନ୍ ଡେ’ ଭଳି ବିଭିନ୍ନ ଦିବସ ପାଳିତ ହେଉଥିବାବେଳେ ପଡୋଶୀଙ୍କ ସହ ଉତ୍ତମ ସଂପର୍କ ଓ ଭାଇଚାରା ବୃଦ୍ଧି ପାଇଁ ୨୦୧୬ ମସିହା ଅକ୍ଟୋବର ୧୫ ତାରିଖକୁ ଉଚ୍ଚତମ ନ୍ୟାୟାଳୟର ଅଧିବକ୍ତା, ମାନବାଧିକାର କର୍ମୀ ଓ ସେଚ୍ଛାସେବୀ ରାଧାକାନ୍ତ ତ୍ରିପାଠୀ ଆରମ୍ଭ କରିଥିଲେ ‘ବିଶ୍ୱ ପ୍ରତିବେଶୀ ଦିବସ’ । ଏହି ଅବସରରେ ଏହି ଜିଲାର ତିହିଡି ବ୍ଲକ୍ ଅନ୍ତର୍ଗତ ତଳଗୋପବିନ୍ଧା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଆଦିତ୍ୟ ଜେନାଙ୍କ ଆବାହକତ୍ୱରେ ବିଶ୍ୱ ପ୍ରତିବେଶୀ ଦିବସ ପାଳିତ ହୋଇଯାଇଛି । ଏହି ଦିବସର ସ୍ରଷ୍ଟା ଶ୍ରୀ ତ୍ରିପାଠୀଙ୍କ ଉପସ୍ଥିତିରେ ପଡୋଶୀ ପଂଚାୟତର ସମାଜସେବୀ ଜଗନ୍ନାଥ କର, ସ୍ୱେଚ୍ଛାସେବୀ ଶରତ ଖଟୁଆ, କଳାକାର ବାଦଲ, ସ୍ୱୟଂ ସହାୟକ ଗୋଷ୍ଠୀରୁ ଏମ୍‌ବିକେ ବିଜୟା, ଅଂଜଳି ତଥା ୩ଟି ପଂଚାୟତର ବହୁ ଜନସାଧାରଣଙ୍କ ଉପସ୍ଥିତିରେ ବକ୍ତାମାନେ ପଡୋଶୀମାନଙ୍କ ମଧ୍ୟରେ ହଜିଯାଇଥିବା ସଂପର୍କର ପୁନରୁଦ୍ଧାର ପାଇଁ ଆଜିର ଦିବସର ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ମାନବୀୟ ମୂଲ୍ୟବୋଧ ଦୃଷ୍ଟିରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ମଧ୍ୟ ଏହି ଦିବସଟି ସ୍ଥାନିତ ହୋଇଛି । ଏହା କିପରି ଜାତୀୟ ସ୍ତରରୁ ଆନ୍ତର୍ଜାତିକ ସ୍ତରକୁ ପରିବ୍ୟାପ୍ତ ହେବ, ସେଥିପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ଓ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ, ଭାଇଚାରା ମାଧ୍ୟମରେ ପଡିଶା ପଣିଆର ଭାବକୁ ନିଜ ଅଂଚଳ ତଥା ବିଶ୍ୱର କୋଣ-ଅନୁକୋଣରେ ପରିବ୍ୟାପ୍ତ କରିବା ପାଇଁ ବକ୍ତାମାନେ ଆଲୋକପାତ କରିଥିଲେ ।