Odiapua.com

୫ ଦଫା ଦାବି ପୂରଣ ପାଇଁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଧାରଣା

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବନ୍ୟାବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଆଖୁଆପଦା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧରଣା ଦିଆଯାଇଛି । ବୈତରଣୀନଦୀର କଣ୍ଟିଘାଇକୁ ସମ୍ପୁର୍ଣ୍ଣ ବନ୍ଦକରାଯିବା, ଆଖୁଆପଦା ଠାରୁ ବୈତରଣୀ ବାମପାଶ୍ୱର୍ ନଦୀବନ୍ଧକୁ କଣ୍ଟିଘାଇ ପର୍ଯ୍ୟନ୍ତ ସଂଯୁକ୍ତ କରାଯିବା, ନଦୀର ବାମପାଶ୍ୱର୍ ନଦୀବନ୍ଧକୁ ଦକ୍ଷିଣପାଶ୍ୱର୍ ସମକକ୍ଷ ଉଚ୍ଚତାରେ ନିର୍ମାଣ କରାଯିବା, ବୈତରଣୀ ନଦୀଶଯ୍ୟାକୁ ସଙ୍କୁଚିତ କରୁଥିବା ନଦୀଗର୍ଭସ୍ଥ ବେଆଇନ ଘେରିବନ୍ଧକୁ ଉଚ୍ଛେଦ କରାଯିବା ଓ ବାମପାଶ୍ୱର୍ ନଦୀବନ୍ଧର ସୁରକ୍ଷା ପାଇଁ ଗାର୍ଡୱାଲ ସହ ପଥରପ୍ୟାକିଂ କରାଯିବା ଆଦି ଦାବି ପୂରଣ ପାଇଁ ଧାରଣା ଅନୁଷ୍ଠିତ ହୋଇଥିଲା । ୧୫ ଦିନ ମଧ୍ୟରେ ଏହି ସମସ୍ତ ଦାବିପୂରଣ ପାଇଁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଗତ ୧ ତାରିଖ ଦିନ ଜଳସମ୍ପଦ ବିଭାଗ ଯାଜପୁର ବିଭାଜନ ଅଧିକ୍ଷଣଯନ୍ତ୍ରୀ, ଚଣ୍ଡିଖୋଲ ବିଭାଗୀୟ କାର୍ଯ୍ୟାଳୟ ମୁଖ୍ୟଯନ୍ତ୍ରୀ ଓ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଅନ୍ୟଥା ୨୯ ତାରିଖରୁ ଧାରଣା ଦିଆଯିବାକୁ ଚେତାବନୀ ଦିଆଯାଇଥିଲା । ତଦନୁଯାୟୀ ବନ୍ୟାବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଆଖୁଆପଦା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଉପସଭାପତି ନାରାୟଣ ଚନ୍ଦ୍ର ବେହେରା, ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, ସୁବୋଧ ସାମଲ, ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସୁବ୍ରତ କୁମାର ଦାସ, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ କଂଗ୍ରେସ ନେତା ଗୋଲକ ବେହେରା, ଯୁବନେତା ବିଜୟଶଙ୍କର ମହାନ୍ତି, ନାରାୟଣ ଘଡେଇ, ବିଜୟ ସ୍ୱାଇଁ, ଲଳିତ ବେହୁରିଆ, ଅଲେଖ ବିନ୍ଧାଣି, ପ୍ରଦୀପ ରାଉତ, କେହ୍ନଇ ପହି, ବିଜୟ ଭାସ୍କର ସାମଲ, ସନ୍ତୋଷ ସାମଲ, ନିହାର ରାଉତ, ବସନ୍ତ ତ୍ରିପାଠୀ, ଧନେଶ୍ୱର ବେହୁରିଆଙ୍କ ସମେତ ମହିଳା ସଙ୍ଗଠନ, କୃଷକ ସଙ୍ଗଠନ ଧାରଣାରେ ବସିରହିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ସରୋଜକାନ୍ତ ନାୟକ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ଘଟଣାସ୍ଥଳରେ ରହି ସୁରକ୍ଷା ତଦାରଖ କରିଥିଲେ ।