Odiapua.com

୫ ଜଣ ଆଜୀବନ ଜେଲ୍ ଭୋଗୁଥିବା କଏଦୀ ମୁକ୍ତ ହେଲେ

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଜ୍ୟ ଆଇନ୍ ବିଭାଗର ବିଜ୍ଞପ୍ତି ତଥା ରାଜ୍ୟ ଜେଲ୍ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ ଜଣ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ମୁକ୍ତ କରାଯାଇଛି । ସେମାନେ ହେଲେ ଚାନ୍ଦବାଲି ଥାନା ଅନ୍ତର୍ଗତ ଚଶାଖଣ୍ଡ ଗ୍ରାମର କଟିଆ ଓରଫ ବିଶ୍ୱଜୟ ପଣ୍ଡା (୬୪), ପିଣ୍ଟୁ ଓରଫ ଚନ୍ଦ୍ରଶେଖର ପଣ୍ଡା (୫୪), ପଂଚାନନ ବଳ (୭୨), ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଉଦପୁର ଗ୍ରାମର ସନାତନ ଯେନା (୪୬) ଓ ଭଣ୍ଡାରିପୋଖରୀ ଥାନା ସରସଦା ଗ୍ରାମର କରୁଣାକର ଅରଖ (୫୦) । ଏମାନେ ସମସ୍ତେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିଲେ । ଭଦ୍ରକ ଅତିରିକ୍ତ ଜିଲା ଜଜ୍‌ଙ୍କ ଆଦେଶକୁ ସେମାନେ ଚ୍ୟାଲେଞ୍ଜ କରି ପ୍ରଥମେ ହାଇକୋର୍ଟ ଓ ପରେ ସର୍ବୋଚ୍ଚ ଅଦାଲତରେ ଅପିଲ କରିଥିଲେ ମଧ୍ୟ ତାହା ଖାରଜ ହେବା ପରେ ସେମାନେ ଜେଲ୍ ଦଣ୍ଡ ଭୋଗୁଥିଲେ । ଚଶାଖଣ୍ଡ ଗ୍ରାମର ଏକ ରାଜନୈତିକ ଗଣ୍ଡଗୋଳରେ ୧୯୮୮ ମସିହାରେ ସଦେଇ ଦାସ ନାମକ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗରେ କଟିଆ ପଣ୍ଡା, ପିଣ୍ଟୁ ପଣ୍ଡା, ପଂଚାନନ ବଳ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଭଦ୍ରକ ସହରାଞ୍ଚଳ ଅଧୀନସ୍ଥ ଜଗନ୍ନାଥପୁର ମାଧିଆ ଡାକୁଆକୁ ସନାତନ ଯେନା ଓ ତାଙ୍କର ସହଯୋଗୀ ୨୦୦୦ ମସିହାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ସେହିପରି କରୁଣାକର ଅରଖ ତାଙ୍କର ନିଜ ପତ୍ନୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ରାଜ୍ୟ ସରକାରଙ୍କର ଏକ ଉଚ୍ଚସ୍ତରୀୟ କମିଟି ଆଜୀବନ ଜେଲ୍ ଭୋଗୁଥିବା କଏଦୀମାନଙ୍କର ବ୍ୟବହାରିକ ପରିବର୍ତ୍ତନକୁ ଉପଲବ୍ôଧ କରି ଆଜୀବନ କଏଦୀମାନଙ୍କୁ ଜେଲ୍ ଦଣ୍ଡ କୋହଳ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେମାନଙ୍କୁ ମୁକ୍ତ କରିଥାନ୍ତି । ତେବେ ଜେଲ୍ ଆଇଜିଙ୍କ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ମୁକ୍ତ କରିଥିବା ଜେଲ୍ ଅଧୀକ୍ଷକ କୁଅଁର ମାରାଣ୍ଡି ପ୍ରକାଶ କରିଛନ୍ତି ।