Odiapua.com

୫୬ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର – ଜାଣନ୍ତୁ ତାଙ୍କ ବିଷୟରେ

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) ଓଡ଼ିଶାରେ ୫୬ନମ୍ବର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କର ବୟସ ୬୬ ବର୍ଷ। ସେ ଯାଜପୁର ଜିଲ୍ଲାର ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ସେ କୋଲକତାରୁ ଏକ ପରିବା ଗାଡି ଟାଟା ମ୍ୟାଜିକ୍ ରେ ଗତ ମାର୍ଚ୍ଚ ୨୮ରେ କୋଲକାତାରୁ ଫେରିଥିଲେ। ତାଙ୍କ ସହିତ ୧୭ ଜଣ ଲୋକ ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଭଦ୍ରକ ଜିଲ୍ଲାର ଏବଂ ୧୦ ଜଣ ଯାଜପୁର ଜିଲ୍ଲାର।

ସେ ଆସିବା ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପାହାଁନ୍ତିଆ ସମୟରେ ଚିକିତ୍ସା ପାଇଁ ଯାଇଥିଲେ। ସେ ସମୟରେ ଅବଶ୍ୟ ମୁଖ୍ୟ ଚିକିତ୍ସାଳୟରେ ବିଶେଷ କିଛି ଲୋକ ନଥିଲେ।

ଆକ୍ରାନ୍ତ ଜଣକ ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନ ତ୍ରିଲୋଚନପୁର ଗାଁର ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଗତ ୧୦ ତାରିଖରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା। ତେବେ ଗତକାଲି ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ଯାଇଥିବା ବେଳେ କୋଭିଡ୍-୧୯ ପଜିଟିଭ୍ ଆସିଛି। ବର୍ତ୍ତମାନ ତାଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ କଣ୍ଟାକ୍ଟ ଟ୍ରେସିଂ ପରେ ସେହି ଗାଡିରେ ୭ ରୁ ୮ ଜଣ ଥିବା ଜଣାପଡିଛି। ରାଜ୍ୟର ୫୬ ନମ୍ବର ଆକ୍ରାନ୍ତ ଯାଜପୁର ଜିଲ୍ଲାର ହୋଇଥିବାରୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ତାଙ୍କର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାର ଦୁଇଟି ଗାଁ’ ସାନତ୍ରିଲୋଚନପୁର ଓ ସହିପୁର-୩କୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ଏହାପୂର୍ବରୁ ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ସେ ଗତ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।