Odiapua.com

୫୫ଟି ଗ୍ରାମରେ ବନୀକରଣ ଜରିଆରେ ସବୁଜ ବଳୟ ସୃଷ୍ଟି କରାଯିବ

ସମ୍ବଲପୁର, ୬/୬ – (ଓଡ଼ିଆ ପୁଅ) ସମ୍ବଲପୁର ସହର ଆଖପାଖରେ ୫୫ଟି ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇ ସମ୍ବଲପୁର ଚାରିପଟେ ସବୁଜ ବଳୟ କରାଯିବ ବୋଲି ଡିଏଫଓ ସଞ୍ଜୀତ କୁମାର କହିଛନ୍ତି। ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଗତ ସନ୍ଧ୍ୟାରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡିଏଫଓ ଶ୍ରୀ କୁମାର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ସମ୍ବଲପୁରର ବ୍ୟକ୍ତିବିଶେଷ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ସକ୍ରିୟ ସହଯୋଗ କାମନା କରିଛନ୍ତି। ସେ କହିଲେ ଯେ, ଗ୍ରାମର ଅଧିବାସୀ, ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ଜଙ୍ଗଲ ବିଭାଗର ମିଳିତ ଆନୁକୂଲ୍ୟରେ ଏ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ଭବପର ହୋଇପାରିବ। ଏଥିରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଡ. ସନ୍ତୋଷ ଦାଶ ବିଶ୍ୱ ପରିବେଶ ଜଗତରେ ସୃଷ୍ଟି ହୋଇଥିବା ମହାବିପଦ ଏବଂ ସମ୍ବଲପୁର ଅଞ୍ଚଳ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରି ସମସ୍ତଙ୍କୁ ଜାଗ୍ରତ, ସଚେତନ ଏବଂ ସକ୍ରିୟ ହେବାକୁ ନିବେଦନ କରିଥିଲେ।

ଗତ ସନ୍ଧ୍ୟାରେ ବ୍ରଜମୋହନ ପଣ୍ଡାଙ୍କ ଜୟନ୍ତୀ ମଧ୍ୟ ପାଳିତ ହୋଇଥିଲା। ଏଥିରେ ବକ୍ତାରୂପେ ଯୋଗଦେଇ ଦୀପକ କୁମାର ପଣ୍ଡା ସମାଜକୁ ସ୍ୱର୍ଗତ ପଣ୍ଡାଙ୍କ ବହୁଳ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସାଂସ୍କୃତିକ ସମାଜର ଉପସଭାପତି ମୀନକେତନ ପାଠୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସାଂସ୍କୃତିକ ସମାଜର ପରିବେଶ କମିଟୀ ଆବାହକ ଡ. ସିଦ୍ଧାର୍ଥ ପଣ୍ଡା ସ୍ୱାଗତ ଭାଷଣ ଏବଂ ସମ୍ପାଦକ ବୋଧରାମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।