ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭାଗୀୟ ଅଧିକାରୀଙ୍କ ମନମୁଖୀ ନା ଠିକାଦାରଙ୍କ ସହ ମଧୁ ଚନ୍ଦ୍ରିକା ଚାଲିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ପଂଚାୟତ ଇଟୁଆ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ନାଁରେ ଚାଲିଥିବା ମହା ଘୋଟାଲା ଏବେ ପଦାରେ ପଡ଼ିଛି। ୫୪ ଲକ୍ଷ ଟଙ୍କାର ବଜେଟ, ହେଲେ କାମର ମାନ ଏତେ ନିମ୍ନ ଯେ ସ୍ଥାନୀୟ ଲୋକେ ଏହାକୁ “ମରଣଯନ୍ତା’ ବୋଲି କହିବା ଆରମ୍ଭ କଲେଣି।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ନିର୍ମାଣାଧୀନ ଉଚ୍ଚ ପାଣିଟାଙ୍କୀ। ଏହା ଏକ ପାର୍ଶ୍ୱକୁ ଢଳି ରହିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଯଦି ଏହି ଟାଙ୍କୀରେ ହଜାର ହଜାର ଲିଟର ପାଣି ଭର୍ତି କରାଯାଏ, ତେବେ ଏହାର ଭାର ସହି ନପାରି ଏହା କେଉଁ ମୁହୂର୍ତରେ ଭୁଶୁଡ଼ି ପଡ଼ିବ, ତାହା କେହି କହିପାରିବେ ନାହିଁ। ଏହା କଣ କେବଳ ଅବହେଳା ନା ଜନସାଧାରଣଙ୍କ ଜୀବନ ସହ ଖେଳ ବୋଲି ସଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି।ପାଚେରି କାମ ସରିନି, କିନ୍ତୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହେଲାଣି। ଆଶ୍ଚର୍ଯ୍ୟର କଥା, ଠିକାଦାର ଏହି ଫାଟକୁ ସଜାଡ଼ିବା ବଦଳରେ ସେଥିରେ ରଙ୍ଗ ମାରି ଦୁର୍ନୀତିକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ନୂଆ ନିର୍ମାଣରେ ଏପରି ଫାଟ ଆସିବା ସିମେଂଟ ଓ ବାଲିର ଅନୁପାତରେ ବ୍ୟାପକ ହେରଫେରକୁ ସୂଚାଉଛି। ଇଟୁଆ ଏକ ବନ୍ୟା ପ୍ରବଣ ଅଂଚଳ। ଯେଉଁ ପାଚେରି ସାମାନ୍ୟ ପବନରେ ଫାଟି ଯାଉଛି, ତାହା ପ୍ରଳୟଙ୍କରୀ ବନ୍ୟା ସ୍ରୋତକୁ କେମିତି ସହିବ। କାର୍ଯ୍ୟ ଅବଧି ସରିଯାଇଥିଲେ ମଧ୍ୟ କାମ ଅତି କଚ୍ଛପ ଗତିରେ ଚାଲିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ବିଭାଗୀୟ ଯନ୍ତ୍ରୀ ଫୁ’ କରି ଉଡ଼ାଇ ଦେବା ସହ “ସବୁ ଠିକ୍ ଅଛି” କହିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯନ୍ତ୍ରୀ କେଉଁ ସୁବିଧାରେ ଏପରି ନିମ୍ନମାନର କାମକୁ ସାର୍ଟିଫିକେଟ ଦେଉଛନ୍ତି, ତାହା ତଦନ୍ତ ସାପେକ୍ଷ।ଭଦ୍ରକ ଜିଲ୍ଲାପାଳ ଏବଂ ପଂଚାୟତ ରାଜ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ତୁରନ୍ତ ଏହି ସ୍ଥାନ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ମାନ ଯାଂଚ କରିବାକୁ ଅଂଚଳ ବାସୀ ଦାବି କରିଛନ୍ତି।