Odiapua.com

୫୩ତମ ବିଜୟା ମିଳନ, ଉନ୍ନତ ପରମ୍ପରାରୁ ସାହିତ୍ୟ ସଂସ୍କୃତିର ପରିଚୟ ମିଳେ

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଂସ୍କୃତିକ ଜୀବନ ସମାଜକୁ ସୁସ୍ଥ ଓ ସୁନ୍ଦର କରିବାରେ ସହାୟକ ହେବା ସହିତ ଦିଗ୍‌ଦର୍ଶନ ଦେଇଥାଏ। ଯେଉଁଠି ସଂସ୍କୃତିର ଅବକ୍ଷୟ ଦେଖାଯାଏ, ସେଠାରେ ସାଂସ୍କୃତିକ ଜୀବନ ଦୁର୍ବଳ ହୋଇପଡେ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଆୟୋଜିତ ୫୩ତମ ବିଜୟା ମିଳନ ଉତ୍ସବରେ ମତପ୍ରକାଶ ପାଇଛି । ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବକୁ ମୁଖ୍ୟଅତିଥି ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଉଦ୍‌ଘାଟନ କରି କହିଲେ ଯେ, ଭାଷା ଜ୍ଞାନ ବିଜ୍ଞାନର କଥା କହୁଥିବା ବେଳେ, ସାହିତ୍ୟ ହୃଦୟର କଥା କହିଥାଏ । ଓଡ଼ିଶାର ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ଏପରି ବିଜୟା ମିଳନ ଦୀର୍ଘ ୫୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଯେପରି ପାଳନ କରିଆସୁଛି ତାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମୁଖ୍ୟବକ୍ତା ସାହିତ୍ୟିକା ବନଜ ଦେବୀ କହିଲେ ଯେ, ସମାଜକୁ ଦିଗ୍‌ଦର୍ଶନ ଦେବା ଦିଗରେ ସାହିତ୍ୟିକ ଭୀରୁତା ପ୍ରଦର୍ଶନ କରିବା ଉଚିତ ନୁହେଁ । ସମ୍ମାନିତବକ୍ତା ଭାବେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡ. ଗଙ୍ଗାଧର ମିଶ୍ର ଯୋଗଦେଇ ବିଜୟା ମିଳନ ପରି ଉତ୍ସବ ସାମାଜିକ ଜୀବନରେ ବନ୍ଧୁତା ଓ ପ୍ରୀତି ବଜାୟ ରଖେ ବୋଲି କହିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସାହିତ୍ୟରତ୍ନ ସ୍ୱର୍ଗତ ଅପୂର୍ବ ରଂଜନ ରାୟଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଚଳିତବର୍ଷ ମର୍ଯ୍ୟାଦାଜନକ ‘ବିଜୟା ସମ୍ମାନ’ ଉପନ୍ୟାସିକା, ସାହିତ୍ୟିକା ଓ ଗାଳ୍ପିକା ବନଜ ଦେବୀଙ୍କୁ ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ‘ବିନୋଦ ବିହାରୀ ସ୍ମୃତି ସମ୍ମାନ’ ବିଶିଷ୍ଟ ଗବେଷକ, ପ୍ରାବନ୍ଧିକ ଓ ସମାଲୋଚକ ଡ. ଅରବିନ୍ଦ ଗିରି, ‘ନିଶାମଣି ସ୍ମୃତି ସମ୍ମାନ’ ଗାଳ୍ପିକା ଓ କବୀ ଡ. ସୁମିତ୍ରା ମିଶ୍ର ଏବଂ ‘ସରୋଜ କଳା ସମ୍ମାନ’ ଚିତ୍ରଶିଳ୍ପୀ ଅକ୍ଷୟ କୁମାର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଲିପିପୁଷ୍ପା ରାୟ, ଶିକ୍ଷାବିତ୍ ଅକ୍ଷୟ କୁମାର ମହାନ୍ତି, ରୋଟାରିୟାନ ଗିରୀଶ ବିହାରୀ ମିଶ୍ର, କବି ଶରତଚନ୍ଦ୍ର ଜେନା ପ୍ରମୁଖ ମାନପତ୍ର ପାଠ କରିଥିଲେ । ସହସଂପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ଆମନ୍ତ୍ରଣ ଓ ପ୍ରାକ୍ ସୂଚନା କରିଥିବା ବେଳେ ଅନୁଷ୍ଠାନର ସଂପାଦକ ରୂପକ ବିହାରୀ ରାୟ ଅତିଥି ପରିଚୟ ଓ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ଘନଶ୍ୟାମ ଲେଙ୍କା ବେଦପାଠ କରିଥିବା ବେଳେ ‘କବିର ଲଲାଟେ ଚନ୍ଦନ ଟିପା’ ସଂଗୀତକୁ ସଂଗୀତକାର ରୁଦ୍ରମାଧବ ବାରିକ ଓ ସାଥୀଗଣ ପରିବେଷଣ କରିଥିଲେ । ଏହି ଅବସରରେ ଭଦ୍ରକ ପୂଜ୍ୟପୂଜା ସଂସଦର ଶାରଦୀୟ ବିଶେଷାଙ୍କ ‘କଥାକାହାଣୀ’, କବୀ ଦମୟନ୍ତୀ ନାଥଙ୍କ ‘ଝଲକ’ ଓ ‘ପ୍ରେମଦୋହା’, କବୀ ମନୋରମା ରାୟଙ୍କ ‘ଭାବ ବିନୋଦିଆ’ ଏବଂ ଶିକ୍ଷାବିତ୍ ଅର୍ଜୁନ ଚନ୍ଦ୍ର ସାହୁଙ୍କ ‘ଇ ଐବଦ୍ଭୟ ଈକ୍ଟକ୍ଟଳ କ୍ଟଲ ଓଊଓଙଗଝ ଌ ଚଐଜଇଝଋଝ’ ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା । କବି ଗୌତମ ମହାରଣା ଅଧିବେଶନକୁ ସଂଚାଳନ କରିଥିବା ବେଳେ ଅଧ୍ୟାପକ ଦତାତ୍ରେୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ କବିତା ପର୍ବରେ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡ. ମମତା ସାହୁ ଓ ସମ୍ମାନିତବକ୍ତା ଭାବେ ଅଧ୍ୟାପକ ଡ. ସମ୍ବିତଶୁଭଙ୍କର ଖୁଂଟିଆ ଓ ଡ. ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ କବିତା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । କବି ମୁସ୍ତାକ ଗହ୍ୱର, ସୁକାନ୍ତ କୁମାର ବେହେରା, ଦୀପ୍ତିମୟୀ ଦାସ ଓ ମନୋରମା ରାୟ ପ୍ରମୁଖ କବିତା ସଂଯୋଜନା କରିଥିବା ବେଳେ ଶରତଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଓଡ଼ିଶାରୁ ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଭାଷାଭାଷୀ କବି ଓ କବୟିତ୍ରୀମାନେ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ। ସଂସଦ ତରଫରୁ କବିତା ପାଠୋତ୍ସବରେ ଭାଗ ନେଇଥିବା ସମସ୍ତ କବି ଓ କବୟିତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଭଦ୍ରକ ପୂଜ୍ୟପୂଜା ସଂସଦର ଦିବସବ୍ୟାପୀ ଏହି ବିଜୟା ମିଳନ ସାରସ୍ୱତ କାର୍ଯ୍ୟକ୍ରମକୁ ମନୋଜ କୁମାର ଦାସ, ସଂଗ୍ରାମ ସାହୁ, ଆଶିଷ ରାୟ, ମନୋରଂଜନ ନାୟକ, ସୁଶ୍ରୀସ୍ୱାଗତିକା, ତ୍ରିଲୋଚନ ସାହୁ,ବିପ୍ଳବ ହୋତା, ଜଗନ୍ନାଥ ରାଉତ, ସୁଧାକର ରାଉତ, ନାଟ୍ୟଶ୍ରୀ ନିର୍ମଳ ରାଉତ, କାତିକ ଚନ୍ଦ୍ର ସ୍ୱାଇଁ, ମନୋରଜଂନ ଦାସ, ରବିନାରାୟଣ ଖିଲାର, ନରେନ୍ଦ୍ର କୁମାର ସାମଲ, ବିଜୟ ବହଳୀ, ଶଶିଶେଖର କରଶର୍ମା, ଦୁଃଶାସନ ମହାନ୍ତି, ପ୍ରମୁଖ ପରିଚାଳନା କରିଥିଲେ ।