Odiapua.com

୫୦ ବର୍ଷରେ ପଦାର୍ପଣ କଲା ସାର୍ବଜନୀନ ସିନ୍ଦୋଳ ଲକ୍ଷ୍ମୀନାରାୟଣ ପୂଜା

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ର ସିନ୍ଦୋଳ ଠାରେ ସାର୍ବଜନୀନ ଲକ୍ଷ୍ମୀନାରାୟଣ ପୂଜା ବେଶ୍ ଧୂମ୍‌ଧାମରେ ପାଳିତ ହେଉଛି। ଏହି ପୂଜା ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିର ପରିସରକୁ ବେଶ୍ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିବା ବେଳେ ମିନାବଜାର ସମେତ ବିଭିନ୍ନ ପ୍ରକାର ଦୋକାନ ବଜାର ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରୁଛି। କୁମାର ପୂର୍ଣ୍ଣମୀ ଠାରୁ ୯ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। କୁମାର ପୂର୍ଣ୍ଣମୀ ଦିନ ରୀତି ନୀତି ଅନୁସାରେ ମହାପ୍ରଭୁଙ୍କର କଳସ ଯାତ୍ରା ଓ ଛେରା ପହଁରା ପରେ ବହୁ ଶ୍ରଦ୍ଧାଳୁ ନେତ୍ରପଣା ଓ ଭୋଗ ଲଗାଇଥିଲେ। ପ୍ରକାଶ ଯେ, ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ର ସିନ୍ଦୋଳ ଠାରେ ୧୯୭୫ ମସିହାରୁ ଏହି ସାର୍ବଜନୀନ ଲକ୍ଷ୍ମୀନାରାୟଣ ପୂଜା ପାଳନ କରାଯାଇ ଆସୁଛି। ସେତେବେଳେ ସୂର୍ଯ୍ୟମଣି ନାୟକ, ଭାଗିରଥି ବାରିକ, ବେଣୁଧର ସ୍ୱାଇଁ, ଦିବାକର ବାରିକ, କାହ୍‌ୁ ଚରଣ ଦାସ, ବିକ୍ରମ ମଲ୍ଲିକ, ଜନାର୍ଦ୍ଦନ ସେନାପତି, ହାଡ଼ିବନ୍ଧୁ ଦାସ, ଗୋପାଳ ଦାସ, ଦୁର୍ଯ୍ୟୋଧନ ସେନାପତି, ମାଗୁଣୀ ଚରଣ ପରିଡ଼ା, ଦୁଃଶାସନ କାଣ୍ଡି , ଧନେଶ୍ୱର ପାଣିଙ୍କ ଉଦ୍ୟମରେ ଏଠାରେ ଆରମ୍ଭ ହୋଇଥିଲା ସାର୍ବଜନନୀ ଲକ୍ଷ୍ମୀନାରାୟଣ ପୂଜା । ପ୍ରଥମେ ମାଟି ଘର ପରେ ପକ୍କାଘରେ ଲକ୍ଷ୍ମୀ, ନାରାୟଣ ଓ ସରସ୍ୱତୀଙ୍କ ମୃଣ୍ମୟ ମୂର୍ତି ସ୍ଥାପନ କରାଯାଇ ବାର୍ଷିକ ପୂଜା ବିଧି ନିଆରା ଢଙ୍ଗରେ ପାଳନ କରାଯାଇ ଆସୁଥିଲା। ଏବେ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବା ସହ ମନ୍ଦିରରେ ତିନି ଦିଅଁଙ୍କର ପ୍ରସ୍ତର ମୂର୍ତି ସ୍ଥାପନ କରାଯାଇଛି। ବାରମାସରେ ତେର ପର୍ବ ଭଳି ଦୈନିକ ରୀତି ନିତି ସମେତ ବର୍ଷର ବିଭିନ୍ନ ପୂଜା ପର୍ବ ଓ କୁମାର ପୂର୍ଣ୍ଣମୀରେ ବାର୍ଷିକ ପୂଜା ପାଳନ କରାଯାଉଛି। ପୂଜାକାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ସାର୍ବଜନୀନ ପୂଜା କମିଟି ଗଠନ କରାଯାଇଛି। ଚଳିତ ବର୍ଷ କମିଟିର ସଭାପତି ଭାଗିରଥି ବେହେରା, ସମ୍ପାଦକ ହରିହର ସେନାପତିଙ୍କ ସମେତ ଦେବେନ୍ଦ୍ର ବାରିକ୍‌, କମଳାକାନ୍ତ ଦାସ, ପରମାନନ୍ଦ ନାୟକ, ଗୋଲକବିହାରୀ ମଲ୍ଲିକ, ବଳରାମ ମଲ୍ଲିକ, ସରୋଜ ନାୟକ, ଗଙ୍ଗାଧର ଦାସ, ଅନିରୁଦ୍ଧ ବାରିକ, ଭଗବାନ ଦାସ ପ୍ରମୁଖଙ୍କ ସମେତ ଗ୍ରାମବାସୀ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୀରହାଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।