Odiapua.com

 ୫୦ ପ୍ରତିଶତ କମ୍ ଯାତ୍ରୀରେ ପରିବହନ ପାଇଁ ଅକ୍ଷମତା ପ୍ରକାଶ କଲେ ତାଳଚେର ବସ ମାଲିକ ସଂଘ

ତାଳଚେର,୪/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ରାଜ୍ୟ ସରକାର ଗ୍ରୀନ ଜୋନ୍ ରେ ଥିବା ଜିଲ୍ଲାଗୁଡ଼ିକରେ ଥିବା ଘରୋଇ ବସ ସେବାକୁ ଅନୁମତି ଦେଇଛନ୍ତି । କିନ୍ତୁ ନିର୍ଦ୍ଧାରିତ ସିଟ୍ ର ୫୦ ପ୍ରତିଶତ କମ୍ ଯାତ୍ରୀରେ ପରିବହନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଘରୋଇ ବସ ମାଲିକ ସଂଘ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବସ ଚଳାଇବାକୁ ଅକ୍ଷମତା ପ୍ରକାଶ କରିଛନ୍ତି, ଯାହାକୁ ତାଳଚେର ବସ ମାଲିକ ସଂଘ ସମର୍ଥନ ଜଣାଇଛି । ଗତ ମାର୍ଚ୍ଚ ୨୩ ତାରିଖରୁ ଘରୋଇ ବସ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । କିନ୍ତୁ ମାର୍ଚ୍ଚ ୧୫ ତାରିଖରୁ ବସ ଯୋଗେ ଯାତ୍ରୀ ମାନଙ୍କର ଚଳାଚଳ କମ୍ ହୋଇ ଯାଇଥିବାରୁ ବସ ମାଲିକମାନେ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଇତି ମଧ୍ୟରେ ୪୦ରୁ ଉର୍ଦ୍ଧ୍ୱ ଦିନ ହେବ ଅନୁଗୋଳ ଜିଲ୍ଲାରେ ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ ଘରୋଇ ବସ୍ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି ଓ ବସ ଗୁଡ଼ିକୁ ମାଲିକମାନେ ଅଫ୍ ରୁଟ କରି ଦେଇଛନ୍ତି । ଏହି ବ୍ୟବସାୟ ଉପରେ ନିର୍ଭର କରୁଥିବା ଡ୍ରାଇଭର,କଣ୍ଡକ୍ଟର,ହେଲପରଙ୍କ ସମେତ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଆଦିରେ ନିୟୋଜିତ ପ୍ରାୟତଃ ୨ହଜାରରୁ ଅଧିକ ଲୋକେ ଜୀବନ ଜୀବିକା ହରାଇ ଭୋକ ଉପାସରେ କାଳ କାଟୁଛନ୍ତି । ପରିବହନ ବ୍ୟବସ୍ଥାରେ ନିୟୋଜିତ ସମସ୍ତ ବସ୍ ର କର୍ମଚାରୀମାନେ ଦିନ ମଜୁରିଆ ହିସାବରେ ନିଯୁକ୍ତି ପାଇଥାନ୍ତି ।

ତେଣୁ ଏପରି ଅବସ୍ଥାରେ ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବସ ମାଲିକମାନେ ଋଣ ପରିଶୋଧ ଚିନ୍ତାରେ ପଡ଼ିଥିବା ବେଳେ ନିଜର କର୍ମଚାରୀମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାପାଇଁ ଅସମର୍ଥ ହେବା ସ୍ୱାଭାବିକ । ବର୍ତମାନ ସରକାରଙ୍କ ଦ୍ୱାରା ଲକ୍ ଡାଉନ ଅବଧିକୁ ମଇ ୧୭ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଏଭଳି ସ୍ଥଳେ ବସ ମାଲିକ ତଥା ଏହାସହିତ ସମ୍ପୃକ୍ତ ଅନ୍ୟମାନଙ୍କ ଅବସ୍ଥା ଜଟିଳରୁ ଜଟିଳ ହେବାକୁ ଯାଉଛି । ଏଣୁ ତାଳଚେର ବସ ମାଲିକ ସଂଘର ସଭାପତି ତଥା ରାଜ୍ୟ ଘରୋଇ ବସ ମାଲିକ ସଂଘର ଉପସଭାପତି ଇଂ ଶ୍ରୀକାନ୍ତ କୁମାର ପାଣି ଉପରୋକ୍ତ ଅବସ୍ଥା ତଥା ସମସ୍ୟାକୁ ଅନୁଧ୍ୟାନ କରି ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।