Odiapua.com

୫୦ ଟନ୍ ଚୋରା ଲୁହାପଥର ଓ ୨ ଟ୍ରକ ଜବତ, ଦଲାଲ ସହିତ ୪ ଗିରଫ

ଯୋଡା ୨୭/୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି କ୍ଷେତ୍ରରେ ଖଣିଜ ଚୋରା କାରବାର ଦିନକୁ ଦିନ ବଢିବାରେ ଲାଗିଛି । ପୁଲିସର ନିଷ୍ଟ୍ରିୟତା ଅବା ସହଭାଗିତାରେ ଏହି ଲୁଟ ହେଉଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ବାରମ୍ବାର ବିଭିନ୍ନ ସ୍ଥାନରୁ ଚୋରା ଲୁହାପଥର ଏବଂ ମାଙ୍ଗାନିଜ ଜବତ ହେଉଥିଲେ ମଧ୍ୟ ଏହାକୁ ରୋକିବାରେ ପୁଲିସ, ଜଙ୍ଗଲ ବିଭାଗ ଏବଂ ଖଣି ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନିକଟରେ କ୍ରମାଗତ ଭାବେ ୬ଥର ଚଢୋଉରେ ବିପୁଳ ପରିମାଣରେ ମାଙ୍ଗାନିଜ ଜବତ ହୋଇଥିବା ବେଳେ ୨୪ ତାରିଖ ରବିବାର ବିଳମ୍ବିତ ରାତ୍ରିରେ ଆଉ ୨ଟି ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକକୁ ଜବତ କରାଯାଇଛି । ବାଂଶପାଣିସ୍ଥିତ ଏକ ପୁରୁଣା କ୍ରସରରେ ଏହି ଟ୍ରକ ନଂ. ଡବ୍ଲୁବି-୧୧ସି-୫୦୯୦, ଡବ୍ଲୁବି-୨୫ଜେ-୭୭୩୫ଟିରେ ପ୍ରାୟ ୫୦ଟନରୁ ଉର୍ଦ୍ଧ୍ୱ ଚୋରା ଲୁହାପଥର ଗୁଣ୍ଡ ବୋଝେଇ ହୋଉଥିବା ନେଇ ଯୋଡାରେ ଚର୍ଚ୍ଚା ହେବା ପରେ ଯୋଡା ପୁଲିସ ଘଟଣା ସ୍ଥଳରେ ଚଢୋଉ କରି ୨ଟି ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକକୁ ଜବତ କରିଛି । ଏହି ଟ୍ରକର ଡ୍ରାଇଭର ପଶ୍ଚିମବଙ୍ଗ ଦକ୍ଷୀଣପ୍ରଗଣା ଅଞ୍ଚଳର ରତନ ସର୍ଦ୍ଦାର ଏବଂ ସୁକୁମାର କର୍ମକାର ବୋଲି ଜଣାପଡିଛି । ସେହିପରି ଆଉଏକ ଟ୍ରକ ର ଡ୍ରାଇଭର ପଶ୍ଚିମବଙ୍ଗ ଉତ୍ତରପ୍ରଗଣାର ହୁସେନ ଅଲ୍ଲୀ ଗାଜୀ ଏବଂ ସେକ୍ ମାସୁଦ୍ଦିନକୁ ପୁଲିସ ଗିରଫ କରିଛି । ଏମାନଙ୍କ ସହିତ ଏହି ଚୋରାକାରବାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଶାନ୍ତ କୁମାର ଜେନାକୁ ମଧ୍ୟ ପୁଲିସ ଗିରଫ କରିଛି । ସୁଶାନ୍ତଙ୍କ ଘର ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଙ୍ଗଭୂମର ନନ୍ଦିପଡା ଗ୍ରାମରେ ବୋଲି ଜଣାପଡିଛି । ଘଟଣାଦିନ ବିଳମ୍ବିତ ରାତ୍ରୀରେ ଏହି ଟ୍ରକ ୨ଟିରେ ଲୁହାପଥର ଗୁଣ୍ଡ ଏକ ଜେସିବି ସାହାଯ୍ୟରେ ବୋଝେଇ ହେଉଥିବା ବେଳେ ଏହି ଚୋରାକାରବାରରେ ସମ୍ପୃକ୍ତ ଜେସିବିଟିକୁ କୌଶଳକ୍ରମେ ଖସାଇଦିଆଯାଇଛି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଏହି ଲୁହାପଥର ଗୁଣ୍ଡ ରାଉରକେଲାର ଏକ କାରଖାନାକୁ ଯାଉଥିବା ବେଳେ ଟ୍ରକ ଡ୍ରାଇଭର ପାଖରୁ ଜବତ କରାଯାଇଥିବା କାଗଜରେ ୧୫ ଶହ ଟନ୍ ର ଲୁହାପଥର ଲମ୍ପସ ପରିବହନ କରିବାର ଅନୁମତି ରହିଛି । ଏହି ଚୋରା କାରବାର ଦୀର୍ଘ ଦିନକୁ ଚାଲିଆସୁଥିବା ସୂଚନା ମିଳିଥିବା ବେଳେ ଏବେ ବାଂଶପାଣି ରେଳ ସାଇଡିଂରେ ମଧ୍ୟ ଅନୁରୂପ ଲୁହାପଥର ଚୋରାକାରବାର ଚାଲୁରହିଛି । କେତେକ କମ୍ପାନୀ ବାଂଶପାଣି ରେଳ ସାଇଡିଂକୁ ଲୁହାପଥର ପରିବହନ କରିଥିବା କମ୍ପାନୀର କର୍ମଚାରୀ ବାଂଶପାଣିରେ ଲୁହାପଥର ଖଲାସ ନକରି କମ୍ପାନୀର ସୁରକ୍ଷା କର୍ମିଠାରୁ ଚାଲାଣରେ ଷ୍ଟାମ୍ପ ମାରି ଲୁହାପଥର ନେଇ ଅନ୍ୟତ୍ର ବିକ୍ରି କରୁଥିବା ମଧ୍ୟ ଜଣାପଡିଛି । ଅନ୍ୟ ଏକ କ୍ଷେତ୍ରରେ ବାଂଶପାଣିରେ ଥିବା ଆର‌୍ୟା ଷ୍ଟିଲର ପେଲେଟ ୟାର୍ଡରୁ (ଲୁହାପଥର ଗୁଲି) ମଧ୍ୟ ଦୈନିକ ବୋଝେଇ ହୋଇ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିବା ବେଳେ ଏଥିରେ ପୁଲିସର ସମ୍ପୃକ୍ତି ଥିବା କାହାରିକୁ ଅଛପା ନାହିଁ । ତେବେ ପ୍ରଶାସନୀକ ସ୍ଥରରେ ଏହି ଚୋରାକାରବାରକୁ ରୋକିବାକୁ ହେଲେ ପୁଲିସ ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ଖଣି ବିଭାଗକୁ ଆହୁରି ସକ୍ରିୟ ହେବାକୁ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଠାରେ ସୂଚନା ଯୋଗ୍ୟ ପୁଲିସର କୋହଳା ଦଫା ପାଇଁ ଗିରଫ ଖଣି ମାଫିଆମାନେ ଗୋଟିଏ ଦିନରେ ଜାମିରେ ବାହାରିପାରୁଥିବା ବେଳେ ଏହି ଘଟଣାଟିରେ ଗିରଫ ଅଭିଯୁକ୍ତମାନେ ଗିରଫ ଦିନ ହିଁ ଜାମିନରେ ବାହାରିବାରେ ସକ୍ଷମ ହୋଇଛନ୍ତି । ଏବେ ଲୁହାପଥର ଗୁଣ୍ଡ ବୋଝେଇ ଜବତ ୨ଟି ଟ୍ରକକୁ ଖସାଇଦେବା ପାଇଁ କେତେକ କୁଜି ନେତା ଥାନାରେ ଆପ୍ରାଣ ଚେଷ୍ଟା ଚଳାଇଥିବା ଜଣାପଡିଛି ।