Odiapua.com

୫୦ ଓଭରରେ ରେକର୍ଡ ୫୯୬ରନ, ଆକାଶ ପୋଦ୍ଦାରଙ୍କ ବିସ୍ଫୋରକ ଅପରାଜିତ ୩୫୬, ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀର ଏକତରଫା ୫୨୩ ରନରେ ବିଜୟ

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ପଡ଼ିଆରେ ଚାଲିଥିବା ଓସିଏ ଆନୁକୂଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଚାଲିଥିବା ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ ମ୍ୟାଚରେ ଗତକାଲି ଏକ ରେକର୍ଡପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୫ଶହରୁ ଉର୍ଦ୍ଧ୍ୱ ବିଜୟ ବ୍ୟବଧାନ ସହିତ ବ୍ୟକ୍ତିଗତ ନଟଆଉଟ ୩୫୬ ମ୍ୟାଚକୁ ଆକର୍ଷଣୀୟ କରିଥିଲା । ଗତକାଲିର ମ୍ୟାଚ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ଓ ସୂର୍ଯ୍ୟଶିଖା କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ବିଜୟଭାନୁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୩ ଉଇକେଟରେ ବିଶାଳ ୫୯୬ ରନ କରିଥିଲା । ଦଳ ପକ୍ଷରୁ ଆକାଶ ପୋଦ୍ଦାର ବିସ୍ଫୋରକ ୧୬୮ଟି ବଲ ଖେଳି ୪୭ଟି ଚଉକା ଓ ୧୫ଟି ଛକ ବଳରେ ୩୫୬ରନ କରିଥିଲେ । ଅନ୍ୟତମ ବ୍ୟାଟ୍‌ସମ୍ୟାନ ଚିରଂଜିବ ବେହେରା ୫୪ ବଲ ଖେଳି ୧୯ଟି ଚଉକା ବଳରେ ୧୦୬ରନ କରିଥିଲେ । ସ୍ୱୟଂମ୍ଭୁ ପଲାଇ ୪୫ ଓ ସମ୍ବିତ ରାଉତ ୪୨ ରନ କରିଥିଲେ । ସୂର୍ଯ୍ୟଶିଖା କ୍ଲବ ପକ୍ଷରୁ ଆଶିଷ ମହାପାତ୍ର, ମୟଙ୍କ ଜୟସ୍ୱାଲ ଓ ହର୍ଷ ମାୱାର ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ସୂର୍ଯ୍ୟଶିଖା କ୍ଲବ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ମାତ୍ର ୨୬.୩ ଓଭରରେ ୭୩ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଆଶିଷ କୁମାର ମହାପାତ୍ର ୧୬ ରନ ଓ ହର୍ଷ ମାୱାର ୧୫ ରନ କରିଥିଲେ । ବିଜୟଭାନୁ ଦଳ ପକ୍ଷରୁ ସତ୍ୟ ପ୍ରକାଶ ସାହୁ ୭ ଓଭରରେ ୨ଟି ମେଡେନ ସହ ୧୭ ରନ ଦେଇ ୫ଟି ଉଇକେଟ ନେଇଥିବା ବେଳେ ଦୀପକ ନାୟକ, ଆଶୀର୍ବାଦ ଦେବଦର୍ଶୀ, ପଙ୍କଜ ରାଉତ, ସୌମ୍ୟ ରଂଜନ ବାରିକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଆକାଶ ପୋଦ୍ଦାରଙ୍କୁ ମ୍ୟାନ ଅପ୍ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ମ୍ୟାଚକୁୁ ଅମ୍ପାୟାର ଭାବେ ଲଲାଟ କେଶରୀ ନନ୍ଦ ଓ ରଂଜନ ମହାନ୍ତି ପରିଚାଳନା କରିଥିବା ବେଳେ ସସ୍ମିତା ସାହୁ ଓ ରାଜେଶ ନାୟକ ସ୍କୋର ଥିଲେ ।