Odiapua.com

୫ମ ଦିନରେ ମା’ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଥିଲା । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ମା’ ହସ୍ତରେ ଶଙ୍ଖ, ଚକ୍ର, ଗଦା,ଖଡ୍‌ଗ ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କୁ ଦର୍ଶନ କଲେ ଭକ୍ତର ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛି । ମାତ୍ର କୋବିଡ଼ କଟକଣା ଯୋଗୁ ଚଳିତବର୍ଷ ଭକ୍ତମାନେ ଏହି ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଆଦ୍ୟାଶକ୍ତି ମା’ ଭଦ୍ରକାଳୀ ସୃଷ୍ଟିର ସମସ୍ତ ଶକ୍ତିର ଅଧିକାରିଣୀ ଜଗତର ପାଳନ କତ୍ର୍ତ୍ରୀ । ସମସ୍ତ ଜୀବ ଜଗତ, ପ୍ରାଣୀ ଜଗତ ତଥା ଉଦ୍ଭିଦ ଜଗତ, ଜଳ, ସ୍ଥଳ ସର୍ବତ୍ର ତାଙ୍କର ସତ୍ତା ଉପଲବ୍ଧି ହେଉଛି । ଆସନ୍ତାକାଲି ମା’ ପଦ୍ମାସନା ହଂସ ବାହନରେ ମହାସରସ୍ୱତୀ ବେଶରେ ଦର୍ଶନ ଦେବେ ଏବଂ ବୁଧବାର ଦିନ ମାଆଙ୍କର ମହାଲକ୍ଷ୍ମୀ ବେଶ ସହିତ ବିଶ୍ୱଶାନ୍ତି ମହଯଜ୍ଞର ପୂର୍ଣ୍ଣାହୁତି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାଲିବ ।